EducationFeaturedLatestNews

ହିନ୍ଦୀ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ରୋକ୍ ଲଗେଇଲେ ହାଇକୋର୍ଟ

ଭୁବନେଶ୍ୱର (ସଂକେତ ଟିଭି): ହିନ୍ଦୀ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଉଚ୍ଚ ନ୍ୟାୟାଳୟ ଏକ ମହତ୍ତ୍ୱପୂର୍ଣ୍ଣ ହସ୍ତକ୍ଷେପ କରିଛନ୍ତି । ଓଡ଼ିଶା ହାଇକୋର୍ଟ ୭୧୧ ପଦବୀ ପାଇଁ ଗତ ବର୍ଷ ପ୍ରକାଶିତ ବିଜ୍ଞାପ୍ତିକୁ ରଦ୍ଦ କରିଛନ୍ତି ଏବଂ ନୂତନ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇଁ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ (OSSC)କୁ ନିର୍ଦ୍ଦେଶ ଦେଇଛନ୍ତି ।

ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଏଥିପାଇଁ ପ୍ରଥମେ ଏକ ପ୍ରଲିମିନାରୀ ପରୀକ୍ଷା ଅନୁଷ୍ଠିତ ହେବ । ଉଲ୍ଲେଖଯୋଗ୍ୟ ଯେ, ପ୍ରଶ୍ନପତ୍ର ଇଂରାଜୀ ଏବଂ ହିନ୍ଦୀ ଉଭୟ ଭାଷାରେ ପ୍ରକାଶିତ ହେବ । ସମସ୍ତ ନିଯୁକ୍ତି ପ୍ରକ୍ରିୟା ଆଗାମୀ ତିନି ମାସ ମଧ୍ୟରେ ସମାପ୍ତ କରିବାକୁ ମଧ୍ୟ କମିଶନକୁ କୁହାଯାଇଛି ।

ଗତ ଅକ୍ଟୋବର ମାସରେ ହୋଇଥିବା ଏହି ନିଯୁକ୍ତି ବିଜ୍ଞାପ୍ତିରେ ଜଣେ ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ସଂଖ୍ୟା ଧାର୍ଯ୍ୟ ପଦବୀର ୫ ଗୁଣ ହେଲେ କେବଳ ପ୍ରଲିମିନାରୀ ପରୀକ୍ଷା ହେବ ବୋଲି ଏକ ଅସାଧାରଣ ସର୍ତ୍ତ ରଖାଯାଇଥିଲା । ତେବେ ବିଜ୍ଞାପ୍ତିରେ ଉଲ୍ଲିଖିତ ଏହି ଶର୍ତ୍ତକୁ ଅବହେଳା କରି, ଆବେଦନକାରୀଙ୍କ ସଂଖ୍ୟା ୫ ଗୁଣରୁ ବଢ଼ିଥିଲା ସତ୍ତ୍ୱେ କମିଶନ ପ୍ରଲିମିନାରୀ ପରୀକ୍ଷା ନନେଇ ସିଧାସଳଖ ମୁଖ୍ୟ ପରୀକ୍ଷା ଅନୁଷ୍ଠିତ କରିଥିଲେ ।

ଏହି କାର୍ଯ୍ୟପଦ୍ଧତି ଏବଂ ପ୍ରଶ୍ନପତ୍ରକୁ ନେଇ ଉଠିଥିବା ବିବାଦକୁ ଚ୍ୟାଲେଞ୍ଜ କରି କେତେକ ପରୀକ୍ଷାର୍ଥୀ ହାଇକୋର୍ଟ ଯାଇଥିଲେ । ସମସ୍ତ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ଉଚ୍ଚ ନ୍ୟାୟାଳୟ ପୂର୍ବତନ ବିଜ୍ଞାପ୍ତିକୁ ରଦ୍ଦ କରି ଦେଇଛନ୍ତି ଏବଂ ଏହି ନିଯୁକ୍ତି ପ୍ରକ୍ରିୟାକୁ ଆହୁରି ସ୍ୱଚ୍ଛ ଏବଂ ନିୟମାନୁଗତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।