FeaturedLatestNews

ପଛକୁ ପଛ ଆସୁଛି ତିନୋଟି ଲଘୁଚାପ, ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର (ସଂକେତ ଟିଭି): ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏକ ସୁଦୃଶ୍ୟ ଲଘୁଚାପ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିଛି । ଆସନ୍ତା ୨୨ ଅକ୍ଟୋବର ଅପରାହ୍ନ ସୁଦ୍ଧା ଏହା ଅବପାତରେ ପରିଣତ ହେବ ବୋଲି ଆକଳନ କରାଯାଇଛି । ଏହି ତନ୍ତ୍ରଟି ଉତ୍ତର ତାମିଲନାଡୁ, ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ର ଉପକୂଳ ଆଡକୁ ଗତି କରିବ ଏବଂ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି ।

ଆଞ୍ଚଳିକ ପାଣିପାଗ ବିଭାଗ କହିଛି ଯେ, ଏହି ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଗାମୀ ୫ ଦିନ ଯାଏଁ ବିଜୁଳି ଘଡଘଡି ସହିତ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଅଛି । ବିଶେଷକରି ଦକ୍ଷିଣ ଓ ଉପକୂଳୀୟ ଓଡ଼ିଶା ସହିତ ଉତ୍ତର ଓଡ଼ିଶାରେ ବର୍ଷାର ପ୍ରଭାବ ରହିବ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, “ଏହି ଲଘୁଚାପ ଓଡ଼ିଶା ଉପରେ ସିଧାସଳଖ ପ୍ରଭାବ ପକାଇବ ନାହିଁ, କିନ୍ତୁ ବିଜୁଳି ଘଡଘଡି ସହିତ ବର୍ଷା ହେବ ।”

ଏହି ଏକମାତ୍ର ଲଘୁଚାପ ନୁହେଁ । ପାଣିପାଗ ବିଜ୍ଞାନୀ ଶରତ ସାହୁଙ୍କ ମତରେ, ପଛକୁ ପଛ ଆଉ ଦୁଇଟି ଲଘୁଚାପ ସୃଷ୍ଟି ହେବାର ଆକଳନ ରହିଛି । ଆସନ୍ତା ୨୬ କିମ୍ବା ୨୭ ଅକ୍ଟୋବର ବେଳକୁ ଦକ୍ଷିଣ ବଙ୍ଗୋପସାଗରରେ ଦ୍ୱିତୀୟ ଲଘୁଚାପ ସୃଷ୍ଟି ହୋଇପାରେ । ତୃତୀୟଟି ଆସନ୍ତା ୨୯ କିମ୍ବା ୩୦ ଅକ୍ଟୋବର ବେଳକୁ ସୃଷ୍ଟି ହେବାର ସମ୍ଭାବନା ଅଛି, ଯେଉଁ ସ୍ଥାନରେ ୧୯୯୯ ଓ ୨୦୧୩ ମସିହାରେ ଶକ୍ତିଶାଳୀ ତଣ୍ଡବ ସୃଷ୍ଟି ହୋଇଥିଲା । ଶରତ ସାହୁ କହିଛନ୍ତି ଯେ ବର୍ତ୍ତମାନର ଲଘୁଚାପଠାରୁ ଦ୍ୱିତୀୟଟିର ପ୍ରଭାବ ଅଧିକ ରହିବ । ତଥାପି, ବର୍ତ୍ତମାନ ଏହି କୌଣସି ଲଘୁଚାପ ବାତ୍ୟାରେ ପରିଣତ ହେବାର ସମ୍ଭାବନା ନାହିଁ ।

ଏହି ପରିସ୍ଥିତିରେ ରାଜ୍ୟ ସରକାର ସତର୍କ ଅବଲମ୍ବନ କରିଛନ୍ତି । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, “ବିଦେଶୀ ପାଣିପାଗ ମଡେଲ ଓ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନକୁ ଦେଖି ସବୁ ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ।” ଦକ୍ଷିଣ ଓଡ଼ିଶାର ଜିଲ୍ଲାମାନଙ୍କୁ ରେଡ଼ ଆଲର୍ଟ ଏବଂ ଉପକୂଳୀୟ ଜିଲ୍ଲାମାନଙ୍କୁ ଅରେଞ୍ଜ ଆଲର୍ଟରେ ରଖାଯାଇଛି । ଜିଲ୍ଲା ପ୍ରଶାସନକୁ ମଧ୍ୟ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।