FeaturedLatestNewsPolitics

ବିକ୍ରମ ପଣ୍ଡାଙ୍କ ଗିରଫକୁ ନେଇ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

ଭୁବନେଶ୍ବର (ସଂକେତ ଟିଭି): ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ତଥା ବିଜେଡି ନେତା ବିକ୍ରମ ପଣ୍ଡାଙ୍କ ଗିରଫକୁ ନେଇ ବିଜୁ ଜନତା ଦଳ (ବିଜେଡି) ପ୍ରବଳ ପ୍ରତିକ୍ରିୟା ପ୍ରକାଶ କରିଛି । ବରିଷ୍ଠ ବିଜେଡି ନେତା ଚନ୍ଦ୍ର ଶେଖର ସାହୁ ଅଭିଯୋଗ କରିଛନ୍ତି ଯେ, ଆଗାମୀ ନୂଆପଡା ଉପନିର୍ବାଚନକୁ ଲକ୍ଷ୍ୟ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିକ୍ରମ ପଣ୍ଡାଙ୍କ ଛବି ମଳିନ କରିବା ଲକ୍ଷ୍ୟରେ ଏହି ଗିରଫ କରାଯାଇଛି । ସେ କହିଛନ୍ତି, “ତଦନ୍ତ ଉଦ୍ଦେଶ୍ୟପ୍ରଣୋଦିତ ସହ ବାଟବଣା ହୋଇଛି, ଆମେ ଏଥିପାଇଁ ରାଜରାସ୍ତାକୁ ଆଗକୁ ଓହ୍ଲାଇବୁ ।”

ଏହି ଘଟଣାରେ ବିକ୍ଷୁବ୍ଧ ହୋଇ ଶହ ଶହ ବିଜେଡି କର୍ମୀ ଓ ନେତା ଆଜି ବ୍ରହ୍ମପୁର ଏସପି କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଦଳଟି ପ୍ରେସମିଟ୍ କରି ଦାବି କରିଛି ଯେ ବିକ୍ରମ ପଣ୍ଡାଙ୍କୁ ଜାଣିଶୁଣି ଫସାଇ ଦିଆଯାଇଛି ଏବଂ ସେ ଏକ ରାଜନୈତିକ ଷଡଯନ୍ତ୍ରର ଶିକାର ହୋଇଛନ୍ତି । ବିଜେଡି ଦାବି କରିଛି ଯେ ବିକ୍ରମଙ୍କ ବିରୁଦ୍ଧରେ କୌଣସି ବଳିଷ୍ଠ ପ୍ରମାଣ ନାହିଁ ଏବଂ ଦଳଟି ଏହା ବିରୁଦ୍ଧରେ ଆଇନଗତ ଲଢ଼େଇ ଲଢ଼ିବ ।

ବିଜେଡି ନେତା ଭୃଗୁ ବକ୍ସିପାତ୍ର ଆହୁରି କହିଛନ୍ତି, “ପୀତବାସ ପଣ୍ଡାଙ୍କୁ ମାରିବା ପାଇଁ ଯେତେବଡ଼ ପ୍ଲଟ୍ ହୋଇନଥିଲା, ସତ୍ୟକୁ ଲୁଚାଇବା ପାଇଁ ତା’ଠାରୁ ବଡ଼ ପ୍ଲଟ ହୋଇଥିବା । ପ୍ରକୃତ ଅପରାଧୀଙ୍କୁ ବଞ୍ଚାଇବା ପାଇଁ ନୂଆ ଅପରାଧୀ ତିଆରି କରାଯାଇଛି ।”

ଅନ୍ୟ ପକ୍ଷରେ, ବିଜେପି ନେତା ଏବଂ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବିଜେଡିର ଅଭିଯୋଗକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ସେ କହିଛନ୍ତି, “ବିଜେଡି ସତ୍ୟର ଅପ୍ରଳାପ କରୁଛି ଏବଂ ନିଜ ନେତାଙ୍କୁ ସୁରକ୍ଷା ଦେବାକୁ ଯାଇ ଅପରାଧକୁ ପ୍ରୋତ୍ସାହନ ଦେଉଛି । ଅପରାଧୀ ନେତାଙ୍କୁ ସୁରକ୍ଷା ଦେବାକୁ ଯାଇ ଓଡ଼ିଶା ପ୍ରତି ଅନ୍ୟାୟ କରୁଛି ବିଜେଡି ।”

ପୂଜାରୀ ଜୋର ଦେଇ କହିଛନ୍ତି ଯେ ଏହି ଘଟଣାରେ ସୁପାରୀ ଦେଇ ସାର୍ପ ସୁଟରଙ୍କୁ ଆଣି ହତ୍ୟା କରିବାର ଷଡଯନ୍ତ୍ର ରଚନା କରାଯାଇଥିଲା, ଯାହାକି ଓଡ଼ିଶାରେ ରାଜନୀତିର ଅପରାଧିକରଣର ଏକ ଚିହ୍ନ । ସେ ବ୍ରହ୍ମପୁର ପୋଲିସକୁ ଯଥାର୍ଥ ତଦନ୍ତ ପାଇଁ ଧନ୍ୟବାଦ ଦେଇଛନ୍ତି ।

ଗଞ୍ଜାମର ପୋଲିସ ଅଧୀକ୍ଷକ ଏହି ହତ୍ୟା ମାମଲାରେ ଗୁରୁତ୍ଵପୂର୍ଣ୍ଣ ଖୁଲାସା କରିଛନ୍ତି । ତାଙ୍କ ମତରେ, ହତ୍ୟାର ପୂର୍ବରୁ ଅପରାଧୀମାନେ ସମ୍ପୂର୍ଣ୍ଣ ଅଞ୍ଚଳର ରେକି କରିଥିଲେ । ହତ୍ୟା ପାଇଁ କରାଯାଇଥିବା ପ୍ରଥମ ଯୋଜନା ବିଫଳ ହେବା ପରେ ଦ୍ୱିତୀୟ ଯୋଜନା ଅନୁଯାୟୀ କାର୍ଯ୍ୟ ସାଧନ କରାଯାଇଥିଲା । ପୋଲିସ ଦାବି କରିଛି ଯେ ପୀତବାସ ପଣ୍ଡାଙ୍କୁ ଦୁଇଜଣ ସାର୍ପ ସୁଟର ଗୁଳି କରି ହତ୍ୟା କରିଥିଲେ ଏବଂ ସମ୍ପୂର୍ଣ୍ଣ ହତ୍ୟା ପାଇଁ ୫୦ ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା । ହତ୍ୟା ପୂର୍ବରୁ ସାର୍ପ ସୁଟରମାନେ ଅଗ୍ରିମ ଭାବରେ ୧୦ ଲକ୍ଷ ଟଙ୍କା ନେଇଥିଲେ ବୋଲି ପୋଲିସ ଜଣାଇଛନ୍ତି ।

ଏହି ମାମଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ବିକ୍ରମ ପଣ୍ଡାଙ୍କ ସମେତ ମୋଟ ୧୨ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଏହି ଘଟଣାଟି ରାଜ୍ୟର ରାଜନୈତିକ ପରିବେଶକୁ ଗରମାଇ ଦେଇଛି, ଯେଉଁଥିରେ ବିଜେଡି ରାଜପଥ ଆନ୍ଦୋଳନର ଧମକ ଦେଇଛି ଏବଂ ବିଜେପି ସରକାର ଅପରାଧୀଙ୍କ ସହିତ ଦଳର ସମ୍ପୃକ୍ତିକୁ ନେଇ ଗମ୍ଭୀର ଅଭିଯୋଗ ଆଣିଛି ।