ଅଗ୍ନିକାଣ୍ଡ ପରେ ଚେତିଲା BMC, ରାଜଧାନୀର ୨୦ଟି ବଡ଼ ହାଟ ପାଇଁ ଆସୁଛି ନୂତନ SOP
ଭୁବନେଶ୍ୱର (ସଂକେତ ଟିଭି): ଭୁବନେଶ୍ୱରର ୧ ନମ୍ବର ହାଟରେ ଅଗ୍ନିକାଣ୍ଡ ଘଟଣା ପରେ ନଗର ମୁନିସିପାଲ କର୍ପୋରେଶନ୍ (BMC) ସଚେତନ ହୋଇଛି । ଏହି ଘଟଣାକୁ ପର୍ଯ୍ୟାଲୋଚନା କରି BMC ରାଜଧାନୀର ବିଭିନ୍ନ ହାଟମାନଙ୍କ ପାଇଁ ଏକ ମାନକ କାର୍ଯ୍ୟପ୍ରଣାଳୀ (SOP) ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଛି । ରାଜଧାନୀର ୨୦ଟି ବଡ଼ ହାଟ ପାଇଁ ଏହି SOP ଲାଗୁ ହେବ ବୋଲି ଜଣାଯାଇଛି ।
ନୂତନ ନିୟମ ଅନୁଯାୟୀ, ହାଟ କମିଟିର ନିର୍ବାଚନ ବିଧିବଦ୍ଧ ଭାବେ ହୋଇ BMC ଅଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହେବ । ପ୍ରତ୍ୟେକ ହାଟର ସମସ୍ତ ଦୋକାନୀଙ୍କ ପାଇଁ BMC ଗ୍ରୁପ ଇନସ୍ୟୁରାନ୍ସ କରିବ । ଏଥିସହ ହାଟ ଭିତରେ ଜରିପାଲ ଟାଣିବା ଏବଂ ରାସ୍ତା ଉପରେ ବ୍ୟବସାୟ ଚଳାଇବା ଉପରେ ସଂପୂର୍ଣ୍ଣ ପ୍ରତିବନ୍ଧକ ରହିବ । ହାଟଗୁଡ଼ିକରେ ନିୟମ ପାଳନ ନିଶ୍ଚିତ କରିବା ପାଇଁ ଏନଫୋର୍ସମେଣ୍ଟକୁ ମଧ୍ୟ କଡ଼ାକଡ଼ି କରାଯିବ ।
ଏହି ପ୍ରସଙ୍ଗରେ, ମେୟର ସୁଲୋଚନା ଦାସ କହିଛନ୍ତି ଯେ କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କୁ ଚିଫ୍ ମିନିଷ୍ଟରଙ୍କ ରିଲିଫ୍ ଫଣ୍ଡ (CMRF) ଏବଂ BMCର ନିଜସ୍ୱ ପାଣ୍ଠିରୁ ଆର୍ଥିକ ସହାୟତା ଦେବା ପାଇଁ ବିଚାର ଚାଲିଛି । ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଏକ ନମ୍ବର ମାର୍କେଟକୁ ଆଧୁନିକୀକରଣ କରିବା ପାଇଁ ୧୮୬ କୋଟି ଟଙ୍କାର ଏକ ପ୍ରକଳ୍ପ ଅଟକଳ ହୋଇଥିଲା, ମାତ୍ର ସରକାରଙ୍କ ତରଫରୁ ଅର୍ଥ ମିଳିଲେ ଏବଂ ପାତ୍ରପଡ଼ା ଭଗବାନପୁର ହୋଲସେଲ୍ ମାର୍କେଟ ପାଇଁ ଅର୍ଥୀୟ ଅଭାବ ଦୂର ହେଲେ କାମ ଆଗେଇବ ।
ଉଲ୍ଲେଖଯୋଗ୍ୟ ଯେ, ରାଜଧାନୀର ସର୍ବାଧିକ ଜନଗହଳିପୂର୍ଣ୍ଣ ୧ ନମ୍ବର ହାଟର ବିକାଶ ପାଇଁ ଏକ ପରିକଳ୍ପନା କରାଯାଇଥିଲା । ୩ ଏକର ଜାଗାରେ ପ୍ରାୟ ୨ ହଜାର ବ୍ୟବସାୟୀଙ୍କ ପାଇଁ ଏକ ଅତ୍ୟାଧୁନିକ ମାର୍କେଟ୍ କମ୍ପ୍ଲେକ୍ସର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲା । ଏହି ପ୍ରକଳ୍ପ ଅନ୍ତର୍ଗତ ୪୨ଟି ସରକାରୀ କ୍ୱାର୍ଟର୍ ସହ ଦୁଇଟି ବସ୍ତି ଉଚ୍ଛେଦ ମଧ୍ୟ କରାଯାଇଥିଲା ।
କିନ୍ତୁ ୧୧ ବର୍ଷ ପରେ, ଏହି ପ୍ରକଳ୍ପ କେବଳ କାଗଜ କଲମରେ ସୀମିତ ହୋଇ ରହିଛି । ଏହି ବିଳମ୍ବ ଯୋଗୁଁ ପରିବା ମାର୍କେଟ ଚାରିପାଖରେ ପୁଣି ଥରେ ବସ୍ତି ଗଢି ଉଠିଛି ଏବଂ ୧ ନମ୍ବର ହାଟ ସବୁବେଳେ ଅଗ୍ନିକାଣ୍ଡର ଭୟ ସହିତ ଜୀବନ ଯାପନ କରୁଛି । ନାଲିଫିତା ତଳେ ଚାପି ହୋଇ ରହିଛି ୟୁନିଟ ୧ ମାର୍କେଟ ବିକାଶ ନକସା । ଫଳସ୍ୱରୂପ, ହାଟର ବ୍ୟବସାୟୀମାନେ ପ୍ରତିମୁହୂର୍ତ୍ତରେ ଭୟ ଏବଂ ଅନିଶ୍ଚିତତା ମଧ୍ୟରେ ଅଛନ୍ତି, ବିଶେଷକରି ନିଆଁର ଆଶଙ୍କା ସହିତ ।
