FeaturedLatestNewsPolitics

ନୂଆପଡ଼ା ଉପନିର୍ବାଚନ: ବିଜେପିର ଜୋରଦାର ରଣନୀତି, ୮ ମନ୍ତ୍ରୀଙ୍କୁ ୮ ଜୋନ୍ ଦାୟିତ୍ୱ

ଭୁବନେଶ୍ୱର (ସଂକେତ ଟିଭି): ନୂଆପଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ ଜିତିବାକୁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ପ୍ରଚଣ୍ଡ ପ୍ରୟାସ ଚାଲୁ ରଖିଛନ୍ତି। ଏହି ଉପନିର୍ବାଚନ ପାଇଁ ବିଭିନ୍ନ ଦଳର ପ୍ରାର୍ଥୀମାନେ ଇତିମଧ୍ୟରେ ଜୋରଦାର ପ୍ରଚାର ଆରମ୍ଭ କରିସାରିଲେଣି। ପ୍ରତ୍ୟେକ ଦଳ ନିଜ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି, ଯାହା ମଧ୍ୟରେ ବିଜେଡି ଓ କଂଗ୍ରେସ ସହିତ ବିଜେପି ମଧ୍ୟ ତାଗିଡ଼ା ଅଛି।

ନୂଆପଡ଼ା ଉପନିର୍ବାଚନ ପାଇଁ ଶାସକ ଦଳ ବିଜେପି ଏକ ଜୋରଦାର ରଣନୀତି ହାତକୁ ନେଇଛି। ଦଳ ପକ୍ଷରୁ ପ୍ରଥମେ ୮ ଜଣ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ୮ଟି ଜୋନ୍ର ଦାୟିତ୍ୱ ଦିଆଯାଇଥିଲା। ଏଥିପାଇଁ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ବଞ୍ଜରୀ ଜୋନ୍, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ସୁନାଦେଇ ଜୋନ୍, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପାତାଳେଶ୍ୱର ଜୋନ୍, ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଜୟଜଂଘା ଜୋନ୍, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କୋନାଭଇରା ଜୋନ୍, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗେଶ୍ୱର ଜୋନ୍, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ନୂଆପଡ଼ା ଏନଏସି ଜୋନ୍ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଖରିଆର ରୋଡ଼ ଏନଏସି ଜୋନ୍ର ଦାୟିତ୍ୱ ପାଇଛନ୍ତି।

ଏହାପରେ ବିଜେପି ଆଉ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଏବଂ ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ସମ୍ପୁର୍ଣ୍ଣ ଜିଲ୍ଲାର ନିର୍ବାଚନ ପରିଚାଳନାର ଦାୟିତ୍ୱ ଦେଇଛି। ବିଜେପି ବିଧାୟକ ଜୟନାରାୟଣ ମିଶ୍ର ସୂଚନା ଦେଇଛନ୍ତି ଯେ ନିର୍ବାଚନ ଶେଷ ପର୍ଯ୍ୟନ୍ତ ଏହି ଦୁଇ ବରିଷ୍ଠ ନେତା ନୂଆପଡ଼ାରେ ରହିବେ।

୧୪ ଜଣ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର କାଏମ
ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଯାଞ୍ଚ କାର୍ଯ୍ୟ ସମାପ୍ତ ହୋଇଛି। ମୋଟ ୧୯ ଜଣ ଆଶାୟୀ ପ୍ରାର୍ଥୀ ଯାଞ୍ଚ ପାଇଁ ଯୋଗ ଦେଇଥିଲେ, ମାତ୍ର ସେଥୁରୁ ୫ ଜଣଙ୍କ ପ୍ରାର୍ଥିପତ୍ର ନାକଚ ହୋଇଯାଇଥିବା ବେଳେ ୬ ଜଣ ଦଳୀୟ ଓ ୮ ଜଣ ସ୍ବାଧୀନ ପ୍ରାର୍ଥୀଙ୍କୁ ମିଶାଇ ସମୁଦାୟ ୧୪ ଜଣଙ୍କ ପ୍ରାର୍ଥିପତ୍ର କାଏମ ରହିଛି। ବୁଧବାର ସ୍ଥାନୀୟ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ଏହି ଯାଞ୍ଚ ପ୍ରକ୍ରିୟା ସମ୍ପନ୍ନ ହୋଇଥିଲା।

ନାକଚ ହୋଇଥିବା ପ୍ରାର୍ଥୀମାନଙ୍କ ମଧ୍ୟରେ ବହୁଜନ ସମାଜ ପାର୍ଟିର ରଳାରାମ ସାନ୍ଧୁ, ରାଷ୍ଟ୍ରୀୟ ପରିବର୍ତ୍ତନ ଦଳର ସୀତାରାମ ବେହେରା ଏବଂ ସ୍ବାଧୀନ ପ୍ରାର୍ଥୀ କମଲ କୁମାର ଛତ୍ରିଆ, ପୁରୁଷୋତ୍ତମ ବେହେରା ଓ ଭୁଜବଳ ଆଡବଙ୍ଗ ଅନ୍ତର୍ଭୁକ୍ତ। ଅନ୍ୟ ପକ୍ଷରେ, ବିଜେପି ପ୍ରାର୍ଥୀ ଜୟ ଢୋଲକିଆ, ବିଜେଡି ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆ ଏବଂ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝିଙ୍କ ସମେତ ମୋଟ ୧୪ ଜଣ ପ୍ରାର୍ଥୀ ଚୁଡ଼ାନ୍ତ ଲଢ଼ିବାର ଅନୁମତି ପାଇଛନ୍ତି। ଗୁରୁବାର ଦିନ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଛି।