ଆସୁଛି ବାତ୍ୟା ‘ମୋନ୍ଥା’, ବାତିଲ ହେଲା ୪୩ଟି ଟ୍ରେନ୍
ଭୁବନେଶ୍ୱର (ସଂକେତ ଟିଭି): ଘଣ୍ଟାକୁ ୧୮ କିଲୋମିଟର ବେଗରେ ମାଡ଼ି ଆସୁଛି ବାତ୍ୟା ‘ମୋନ୍ଥା’। ଏହା ଆସନ୍ତାକାଲି ଅର୍ଥାତ୍ ମଙ୍ଗଳବାର ଆନ୍ଧ୍ରପ୍ରଦେଶର କାକିନାଡ଼ାଠାରେ ସ୍ଥଳଭାଗ ଛୁଇଁବ। ବାତ୍ୟା ଯୋଗୁ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ପ୍ରଭାବିତ ହେବା ନେଇ ଆକଳନ କରାଯାଇଥିବା ବେଳେ, ଦୁଇ ରାଜ୍ୟ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି।
ଏହି ସ୍ଥିତିକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ବାତ୍ୟା ‘ମୋନ୍ଥା’କୁ ଦୃଷ୍ଟିରେ ରଖି ୪୩ଟି ଟ୍ରେନ୍ ବାତିଲ କରିଛି ରେଳବେ। ଏହା ସହିତ ଗୋଟିଏ ଟ୍ରେନକୁ ଡାଇଭର୍ଟ କରାଯାଇଛି ଏବଂ ଯାତ୍ରୀମାନଙ୍କୁ ଗାଡ଼ି ଚଳାଚଳର ସ୍ଥିତି ଜାଣିବା ସହିତ ନିରୀକ୍ଷଣ କରିବାକୁ ରେଳବେ ପରାମର୍ଶ ଦେଇଛି।
ବର୍ତ୍ତମାନ ବାତ୍ୟା ‘ମୋନ୍ଥା’ ଚେନ୍ନାଇଠାରୁ ୫୨୦ କିଲୋମିଟର, କାକିନାଡ଼ାଠାରୁ ୫୭୦ କିଲୋମିଟର ଏବଂ ଗୋପାଳପୁରଠାରୁ ୬୦୦ କିଲୋମିଟର ଦୂରରେ ରହିଛି। ୨୮ ତାରିଖରେ ଏହା ଏକ ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗ ଆଘାତ କରିବ। ବାତ୍ୟାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି, ଯାହାହେତୁ ରେଡ୍ ଆଲର୍ଟ ଜାରି କରାଯାଇଛି।
ଆକଳନ ଅନୁସାରେ, ବାତ୍ୟା ମାଲକାନଗିରି ଦେଇ ଛତିଶଗଡ଼ ଆଡ଼କୁ ଗତି କରିବ। ଫଳରେ ଗଞ୍ଜାମ ଓ ଗଜପତି ଜିଲ୍ଲା ଅଧିକ ପ୍ରଭାବିତ ହେବା ବୋଲି ଆଶଙ୍କା କରାଯାଇଛି। ଛତିଶଗଡ଼ରେ ଅଧିକ ବର୍ଷା ହେଲେ ମହାନଦୀରେ ଜଳସ୍ତର ବୃଦ୍ଧି ପାଇବ। ଏହାକୁ ଦୃଷ୍ଟିରେ ରଖି ଆବଶ୍ୟକ ସ୍ଥଳେ ହୀରାକୁଦ ବନ୍ଧର ଗେଟ୍ ଖୋଲାଯିବା ସମ୍ଭାବନା ରହିଛି।
