ମାଡ଼ି ଆସୁଛି ବାତ୍ୟା ‘ମୋନ୍ଥା’, ୧୧୦ କିମି ପର୍ଯ୍ୟନ୍ତ ରହିବ ପବନର ବେଗ
ଭୁବନେଶ୍ୱର (ସଂକେତ ଟିଭି): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ବାତ୍ୟା ‘ମୋନ୍ଥା’ କ୍ରମଶଃ ଅଧିକ ଶକ୍ତିଶାଳୀ ହେଉଛି । ପାଣିପାଗ ବିଭାଗ ଅନୁଯାୟୀ, ଏହି ବାତ୍ୟା ଆସନ୍ତା ୨୮ ଅକ୍ଟୋବର (ବୁଧବାର) ସକାଳ ସୁଦ୍ଧା ଭୟଙ୍କର ଘୂର୍ଣ୍ଣିଝଡ଼ର ରୂପ ନେବ । ସମୁଦ୍ରରେ ଏହାର ପ୍ରଭାବ ଅନୁଭବ ହେବା ଆରମ୍ଭ ହୋଇସାରିଛି ଏବଂ ଆଜି ଠାରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଛି ।
ବାତ୍ୟା ‘ମୋନ୍ଥା’ ୨୮ ଅକ୍ଟୋବର ସନ୍ଧ୍ୟା କିମ୍ବା ରାତି ସୁଦ୍ଧା ଆନ୍ଧ୍ରପ୍ରଦେଶର କାକିନାଡ଼ା ନିକଟବର୍ତ୍ତୀ ମଛଲିପାଟନମ୍ ଏବଂ କଳିଙ୍ଗାପାଟନମ୍ ମଝିରେ ସ୍ଥଳଭାଗ ଅତିକ୍ରମ କରିବ । ସ୍ଥଳଭାଗ ଅତିକ୍ରମ କରିବା ସମୟରେ ଏହା ଭୀଷଣ ବାତ୍ୟାର ରୂପରେ ରହିବ ଏବଂ ୯୦ରୁ ୧୦୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ଏବଂ ୧୧୦ କିଲୋମିଟର ପର୍ଯ୍ୟନ୍ତ ବେଗରେ ଝଟକା ପବନ ବହିବ । ଏହା ପରେ ବାତ୍ୟା କାକିନାଡ଼ାରୁ ମାଲକାନଗିରି ଦେଇ ଛତିଶଗଡ଼ ଆଡ଼କୁ ଗତି କରିବାର ସମ୍ଭାବନା ଅଛି ।
ଆଗାମୀ ୨୪ ଘଣ୍ଟା ମଧ୍ୟରେ ବାତ୍ୟା ମୋନ୍ଥା ଭୀଷଣ ବାତ୍ୟାରେ ପରିଣତ ହେବ । ରାଜ୍ୟରେ ଆଜି ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି, କେତେକ ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ । ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲା ପାଇଁ ସତର୍କତା ସୂଚନା (ୱାର୍ଣ୍ଣିଂ) ଜାରି କରାଯାଇଛି । ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ସର୍ବାଧିକ ବେଗରେ ପବନ ବହିବ ।
୨୮ ଅକ୍ଟୋବର: ଏହି ଦିନ ରାଜ୍ୟରେ ଅତି ପ୍ରବଳ ରୁ ଅତ୍ୟନ୍ତ ପ୍ରବଳ ବର୍ଷା ହେବ । କୋରାପୁଟ, ରାୟଗଡ଼ା, ମାଲକାନଗିରି, ଗଞ୍ଜାମ ଓ ଗଜପତି ଜିଲ୍ଲା ପାଇଁ ରେଡ଼ ୱାର୍ଣ୍ଣିଂ ଜାରି ରହିଛି । ଅନ୍ୟ ଅନେକ ଜିଲ୍ଲା ପାଇଁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
୨୯ ଅକ୍ଟୋବର: ଏହି ଦିନ ମଧ୍ୟ ରାଜ୍ୟରେ ପ୍ରବଳ ରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, କଳାହାଣ୍ଡି ଓ ମାଲକାନଗିରି ଜିଲ୍ଲା ପାଇଁ ରେଡ଼ ୱାର୍ଣ୍ଣିଂ ଜାରି ରହିଛି ।
ଆଜି ଠାରୁ ଆସନ୍ତା ୩୦ ଅକ୍ଟୋବର ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର କୂଳକୁ ଯିବାକୁ ମନା କରାଯାଇଛି ଏବଂ ସମସ୍ତ ବନ୍ଦରଗୁଡ଼ିକରେ ୨ ନମ୍ବର ବିପଦ ସଂକେତ ଉତ୍ତୋଳିତ ରହିଛି । ମାଲକାନଗିରି, ଗଜପତି, ଗଞ୍ଜାମ, କୋରାପୁଟ, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ବାତ୍ୟାରେ ସବୁଠାରୁ ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି । ଭୂସ୍ଖଳନ, କଚ୍ଚା ଘର ଭାଙ୍ଗିବା, ଗଛ ଉପୁଡ଼ି ପଡ଼ିବା ଏବଂ କୃତ୍ରିମ ବନ୍ୟା ପରି ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଥିବାରୁ ନିମ୍ନଅଞ୍ଚଳବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ୩୦ ଅକ୍ଟୋବର ପରଠାରୁ ପାଗରେ ଅଳ୍ପ ସୁଧାର ଆସିବ ବୋଲି ଆଶା କରାଯାଉଛି ।
