କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗଙ୍କ ପାଇଁ ବଡ଼ ରିହାତି: କିସମ ପରିବର୍ତ୍ତନ ଫି ଏବଂ ଭଡା ଛାଡ଼
ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶାର କ୍ଷୁଦ୍ର, ଲଘୁ ଏବଂ ମଧ୍ୟମ ଉଦ୍ୟୋଗଙ୍କ ପାଇଁ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଏଣିକି ଏହି ଶ୍ରେଣୀର ଉଦ୍ୟୋଗଗୁଡ଼ିକୁ ଜମିର କିସମ ପରିବର୍ତ୍ତନ ପାଇଁ କୌଣସି ଫି ଏବଂ ଭଡା ଦେବାକୁ ପଡିବ ନାହିଁ । ରାଜସ୍ୱ ବିଭାଗ ଏ ନିଷ୍ପତ୍ତି ଜାରି କରିଛି ।
ପୂର୍ବରୁ, କିସମ ପରିବର୍ତ୍ତନ ପାଇଁ ଉଦ୍ୟୋଗୀଙ୍କୁ ଜମିର ବେଞ୍ଚ ମାର୍କଟ ଭ୍ୟାଲୁର ୧ ପ୍ରତିଶତ ହିସାବରେ ଫି ଦେବାକୁ ପଡୁଥିଲା । ଏଥିସହିତ, ପରିବର୍ତ୍ତନ ପାଇଁ ଦେୟ ଫିର ଅତିରିକ୍ତ ୧ ପ୍ରତିଶତ ଭଡା ମଧ୍ୟ ଦେବାକୁ ପଡୁଥିଲା । ନୂତନ ନିଷ୍ପତ୍ତି ଅନୁଯାୟୀ ଉଦ୍ୟୋଗୀଙ୍କୁ ଏହି ଦୁଇଟି ଅର୍ଥାତ୍ ଫି ଏବଂ ଭଡା ଦୁଇଟି ଛାଡ଼ ଦିଆଯାଇଛି ।
ଏହି ସୁବିଧା କେବଳ ସେହିସବୁ କ୍ଷୁଦ୍ର, ଲଘୁ ଏବଂ ମଧ୍ୟମ ଉଦ୍ୟୋଗଙ୍କ ପାଇଁ ପ୍ରଯୁଜ୍ୟ ହେବ, ଯାହାଙ୍କର ପଞ୍ଜିକରଣ କେନ୍ଦ୍ର ସରକାରଙ୍କ ଉଦ୍ୟୋଗ ପୋର୍ଟାଲରେ ହୋଇଛି ଏବଂ ଯାହାଙ୍କୁ ଜିଲ୍ଲା ଉଦ୍ୟୋଗ ସହାୟକ ସମିତି ଅନୁମୋଦନ କରିଛନ୍ତି । ତଥାପି, ସଂରକ୍ଷିତ ଅଞ୍ଚଳ, ପ୍ରତିରକ୍ଷା ଜମି, ଉପକୂଳ ନିୟମିତ ଅଞ୍ଚଳ, ପ୍ରତ୍ନତାତ୍ତ୍ୱିକ ସ୍ଥଳ ଭଳି ସ୍ଥାନଗୁଡ଼ିକରେ, ଯେଉଁଠି ଅନ୍ୟ ଆଇନ ଅଧିକ ପ୍ରାଧାନ୍ୟ ରଖେ, ସେଠି ଏହି ଛାଡ଼ ଲାଗୁ ହେବ ନାହିଁ ।
ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଜଣାଇଛନ୍ତି ଯେ ଯଦି କોઈ ଉଦ୍ୟୋଗୀ ଜମିର ମୂଳ ଉଦ୍ଦେଶ୍ୟରୁ ବିଚ୍ୟୁତ ହୁଅନ୍ତି, ତେବେ ସେହି ଜମି ଫେରସ୍ତ କରାଯିବ । ଏହି ପଦକ୍ଷେପ ଉଦ୍ୟୋଗଗୁଡ଼ିକୁ ସହଜୀକରଣ ଏବଂ ରାଜ୍ୟରେ ଶିଳ୍ପ ବିକାଶକୁ ଗତି ଦେବା ଲକ୍ଷ୍ୟରେ ନିଆଯାଇଛି ।
