ରାସନକାର୍ଡ଼ ଇ-କେୱାଇସି ଅବଧି ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି
ଭୁବନେଶ୍ବର (ସଂକେତ ଟିଭି): ସରକାରୀ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହିତାଧିକାରୀଙ୍କ ପାଇଁ ଏକ ଖୁସିଖବର ଆସିଛି। କୌଣସି କାରଣରୁ ଏପର୍ଯ୍ୟନ୍ତ ଇ-କେୱାଇସି କରାଇ ନ ପାରିଥିବା ହିତାଧିକାରୀମାନେ ଆସନ୍ତା ଡିସେମ୍ବର ୩୧ ତାରିଖ ସୁଦ୍ଧା ନିକଟସ୍ଥ ଖାଉଟି ସୁଲଭ ମୂଲ୍ୟ ଦୋକାନ ବା ରାସନକାର୍ଡ଼ ପରିଚାଳନା କେନ୍ଦ୍ରକୁ ଯାଇ ନିଜ ଆଧାରଯୁକ୍ତ ଇ-କେୱାଇସି କରାଇ ପାରିବେ। ଏ ସମ୍ପର୍କରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ଥିବା ରାଜ୍ୟର ସମସ୍ତ ପିଡ଼ିଏସ୍ ହିତାଧିକାରୀଙ୍କ ଅବଗତି ପାଇଁ ଜଣାଯାଇଛି ଯେ ହିତାଧିକାରୀଙ୍କ ଆଧାରଭିତ୍ତିକ ଇ-କେୱାଇସି ପ୍ରକ୍ରିୟା ଜାରି ରହିଛି। ଏହା ରାଜ୍ୟର ସମସ୍ତ ୧୧,୮୨୭ ଗୋଟି ଖାଉଟି ସୁଲଭ ମୂଲ୍ୟ ଦୋକାନ, ୩୧୪ ଗୋଟି ବ୍ଲକ କାର୍ଯ୍ୟାଳୟ ଏବଂ ୬୪ ଗୋଟି ପୌରାଞ୍ଚଳ କାର୍ଯ୍ୟାଳୟରେ ଥିବା ରାସନକାର୍ଡ଼ ପରିଚାଳନା କେନ୍ଦ୍ରଗୁଡ଼ିକରେ ଚାଲୁ ଅଛି।
ଏହି ପ୍ରକ୍ରିୟା ଆସନ୍ତା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲୁରହିବ। ଏତଦ୍ବ୍ୟତୀତ, ଅଦ୍ୟାବଧି ଇ-କେୱାଇସି କରାଇ ନ ପାରିଥିବା ହିତାଧିକାରୀମାନଙ୍କୁ ପ୍ରତ୍ୟେକ ମାସର ପି.ଡି.ଏସ୍ ସାମଗ୍ରୀ ପୂର୍ବଭଳି ପ୍ରଦାନ କରାଯାଉଛି। କୌଣସି ଯୋଗ୍ୟ ହିତାଧିକାରୀଙ୍କୁ ଇ-କେୱାଇସି ନ ହୋଇଥିବା କାରଣରୁ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ କରାଯାଇ ନାହିଁ।
ଉଲ୍ଲେଖ୍ୟ, ଗତ ସେପ୍ଟେମ୍ବର ୩୦ ତାରିଖ ଇ-କେୱାଇସି କରିବାର ଶେଷ ତାରିଖ ଥିଲା ଏବଂ କେନ୍ଦ୍ର ସରକାର ଏହି ପ୍ରକ୍ରିୟାକୁ ବନ୍ଦ କରିଦେଇଥିଲେ। ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଅକ୍ଟୋବର ମାସରେ ଦର୍ଶାଇଥିଲେ ଯେ ଯଦି କେନ୍ଦ୍ର ସରକାର ଇ-କେୱାଇସି ଅବଧି ବଢ଼ାଇବେ, ତା’ହେଲେ ରାଜ୍ୟ ସରକାର ମଧ୍ୟ ଏହି ଅବଧିକୁ ବୃଦ୍ଧି କରିବେ। ରାଜ୍ୟରେ ଏବେ ମଧ୍ୟ ୧୫ ଲକ୍ଷ ୬୭ ହଜାରରୁ ଅଧିକ ରାସନକାର୍ଡ଼ଧାରୀ ଇ-କେୱାଇସି କରି ନାହାନ୍ତି। ଅଯୋଗ୍ୟ ହିତାଧିକାରୀ ଧରାପଡ଼ିବା ଭୟ, ଉପାନ୍ତ ଅଞ୍ଚଳରେ ନେଟୱାର୍କ ସମସ୍ୟା ଏବଂ ଦାଦନ ଖଟିବାକୁ ବାହାରେ ରହିଥିବା ଶ୍ରମିକଙ୍କ ଅନୁପସ୍ଥିତି ଆଦି ଏହାର ମୁଖ୍ୟ କାରଣ ଭାବରେ ଚିହ୍ନଟ କରାଯାଇଛି।
