FeaturedLatestNewsPolitics

ନବୀନଙ୍କ ବିମାନ ଯାଞ୍ଚ କଲେ ନିର୍ବାଚନ କମିଶନ

ନୂଆପଡ଼ା (ସଂକେତ ଟିଭି): ନୂଆପଡ଼ା ଉପନିର୍ବାଚନୀ କ୍ଷେତ୍ରରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବିମାନ ଓ ହେଲିକପ୍ଟର ନିର୍ବାଚନ କମିଶନଙ୍କ ଦ୍ଵାରା ଯାଞ୍ଚ କରାଯାଇଛି । ଆଦର୍ଶ ନିର୍ବାଚନ ଆଚରଣବିଧି ଅନୁସାରେ ଏହି ଯାଞ୍ଚ କାର୍ଯ୍ୟ ସମ୍ପାଦନ କରାଯାଇଥିବା ନୂଆପଡ଼ା ଜିଲ୍ଲାପାଳ ମାଧ୍ୟମରେ ସ୍ପଷ୍ଟ କରିଛନ୍ତି ।

ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାରରେ ଯୋଗଦେବା ପାଇଁ ସୋମବାର ନବୀନ ପଟ୍ଟନାୟକ ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ବିମାନରେ ନୂଆପଡ଼ା କୋମନା ଯାଇଥିଲେ । ସେଠାରେ ପହଞ୍ଚିବା ପରେ ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାଡ୍‌ର ୪ ନମ୍ବର ଟିମ୍ ତାଙ୍କ ବିମାନରେ ଥିବା ଲଗେଜ୍ ଓ ସିଟ୍ ଯାଞ୍ଚ କରିଥିଲେ । ପ୍ରାୟ ୧୦ରୁ ୧୫ ମିନିଟ୍ ଧରି ଚାଲିଥିବା ଏହି ଯାଞ୍ଚ ପ୍ରକ୍ରିୟାରେ ନବୀନ ପଟ୍ଟନାୟକ ପୂରା ସହଯୋଗ କରିଥିବା କୁହାଯାଇଛି ।

ଅନ୍ୟପକ୍ଷରେ, ବିଜେପି ପ୍ରାର୍ଥୀ ଜୟ ଢେଲକିଆ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଉପରେ ଗୁରୁତର ଆକ୍ଷେପ ଉଠାଇଛନ୍ତି । ସେ ଦାବୀ କରିଛନ୍ତି ଯେ ସେମାନେ ନିଜ ପିତା ଓ ସ୍ୱର୍ଗତ ବିଧାୟକ ରାଜେନ୍ଦ୍ର ଢେଲକିଆଙ୍କ ଚିକିତ୍ସା ସମୟରେ କୌଣସି ସାହାଯ୍ୟ କରିନାହାନ୍ତି ଏବଂ ଏୟାରଲିଫ୍ଟ ଖର୍ଚ୍ଚ ତାଙ୍କ ପରିବାର ବହନ କରିଛି । ଜୟ ଢେଲକିଆ କହିଛନ୍ତି, “ମୁଁ ମୋ ବାପାଙ୍କୁ ନେଇ ୧୦ ଥର ନବୀନବାବୁଙ୍କୁ ଫୋନ କରିଥିଲି, କିନ୍ତୁ ସେ ଫୋନ ଉଠାଇନଥିଲେ । ମୋ ବାପାଙ୍କ ଦେହାନ୍ତ ପରେ ତାଙ୍କ ଫୋନ ଆସିଥିଲା । ମୁଁ ମୋ ପରିବାର ପାଇଁ ଭଲ ପୁଅ, ବିଜେଡି ନେତାମାନେ ମୋତେ ସାର୍ଟିଫିକେଟ୍ ଦେବା ପାଇଁ କେହି ନୁହନ୍ତି ।”

ସେ ଆହୁରି କହିଛନ୍ତି ଯେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ପୂର୍ବରୁ ନୂଆପଡ଼ାକୁ ନିୟମିତ ଆସୁନଥିଲେ ଏବଂ ବର୍ତ୍ତମାନ ମନେ ପଡ଼ିଛି । ଜୟ ଢେଲକିଆ ଆଶା ପ୍ରକାଶ କରିଛନ୍ତି ଯେ ନୂଆପଡ଼ା ମତଦାତା ୧୪ ତାରିଖରେ ଉପନିର୍ବାଚନରେ ଏହାର ଉପଯୁକ୍ତ ଜବାବ ଦେବେ ।