ହରିୟାଣା ନିର୍ବାଚନରେ ଭୋଟ୍ ଚୋରି, ଜଣେ ମହିଳା ଦେଇଛନ୍ତି ୨୨ ଥର ଭୋଟ : ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ (ସଂକେତ ଟିଭି): ଲୋକସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପୁଣି ଥରେ ଭାରତୀୟ ଜନତା ପାର୍ଟି (ବିଜେପି) ଉପରେ ଭୋଟ୍ ଚୋରିର ଆରୋପ ଲଗାଇଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ‘ଏଚ୍ ଫାଇଲ୍ସ’ ନାମକ ଏକ ପ୍ରେଜେଣ୍ଟେସନ୍ ଉପସ୍ଥାପନ କରି ସେ ହରିୟାଣା ନିର୍ବାଚନରେ ବ୍ୟାପକ ଭାବରେ ଅନିୟମିତତା ହୋଇଥିବାର ଦାବି କରିଛନ୍ତି।
ରାହୁଲ ଗାନ୍ଧୀ ଦାବି କରିଛନ୍ତି ଯେ ହରିୟାଣାରେ କଂଗ୍ରେସ ହାରିବା ପଛରେ ଭୋଟ୍ ଚୋରି ଏକ ପ୍ରମୁଖ କାରଣ। ତାଙ୍କ ମତାନୁସାରେ, “ନକଲି ଭୋଟ” ଏବଂ ପୋଷ୍ଟାଲ ବାଲଟର ବ୍ୟାପକ ହେରଫେର ମାଧ୍ୟମରେ ବିଜେପି ନିର୍ବାଚନ ଜିତିଥିଲା। ଜଣେ ମହିଳାଙ୍କ ଫଟୋ ଦେଖାଇ ସେ କହିଛନ୍ତି, “କଂଗ୍ରେସ ୨୨,୦୦୦ ଭୋଟରେ ନିର୍ବାଚନ ହାରିଗଲା। କିନ୍ତୁ ଏହି ମହିଳା କିଏ? ସେ ହରିୟାଣା ନିର୍ବାଚନରେ ୨୨ ଥର ଭୋଟ ଦେଇଛନ୍ତି, ପୁଣି ୧୦ଟି ଭିନ୍ନ ବୁଥରେ। ତାଙ୍କର ଅନେକ ନାମ ଅଛି। ଏହାର ଅର୍ଥ ହେଉଛି ଏସବୁ କେନ୍ଦ୍ରରୁ କରାଯାଇଛି।”
ସେ ଆହୁରି କହିଛନ୍ତି ଯେ ଏହି ଘଟଣା ବିଚ্ছିନ୍ନ ନୁହେଁ, ବରଂ ଏଭଳି ଅନେକ ଉଦାହରଣ ରହିଛି ଯେଉଁଥିରେ ସମାନ ଫଟୋ ସହିତ ଭିନ୍ଭିନ୍ନ ନାମରେ ମତଦାନ କରାଯାଇଥିବା ତଥ୍ୟ ମିଳିଛି। ଏକ୍ଜିଟ୍ ପୋଲ୍ ସହିତ ଫଳାଫଳର ବିରୋଧ ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି, “ସମସ୍ତ ଏକ୍ଜିଟ୍ ପୋଲ୍ରେ କଂଗ୍ରେସ ପ୍ରାୟ ୫୨-୬୨ ଆସନ ପାଇବ ବୋଲି ଦର୍ଶାଯାଇଥିଲା, କିନ୍ତୁ ଫଳାଫଳ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ହରିୟାଣାର ନିର୍ବାଚନ ଇତିହାସରେ ପ୍ରଥମ ଥର ପାଇଁ, ପୋଷ୍ଟାଲ୍ ଭୋଟ୍ ସାଧାରଣ ଭୋଟ୍ ଧାରା ସହିତ ମେଳ ଖାଉ ନଥିଲା।”
ରାହୁଲ ଗାନ୍ଧୀ ନିର୍ଦ୍ଦିଷ୍ଟ ଆକଡ଼ା ଦର୍ଶାଇ ଦାବି କରିଛନ୍ତି ଯେ ହରିୟାଣାରେ ୨୫ ଲକ୍ଷ ଭୋଟ ଚୋରି ହୋଇଛି, ମତଦାନରେ ୧୨.୫ ପ୍ରତିଶତ ନକଲି ଭୋଟ ଥିଲା ଏବଂ ପ୍ରାୟ ୯୩ ହଜାର ଠିକଣା ଅବୈଧ ଥିଲା। ସେ ଦେଶର ଯୁବପିଢ଼ିଙ୍କୁ ଏହା ବୁଝିବାକୁ ଆହ୍ୱାନ ଜଣାଇ କହିଛନ୍ତି, “ମୁଁ ଚାହୁଁଛି ଯେ ଯୁବପିଢ଼ି, ଭାରତର ଜେନ୍ ଜି, ଏହାକୁ ସ୍ପଷ୍ଟ ଭାବରେ ବୁଝନ୍ତୁ। କାରଣ ଏହା ଆପଣଙ୍କ ଭବିଷ୍ୟତ ଉପରେ ପ୍ରଭାବ ପକାଇବ।”
ସେ ନିର୍ବାଚନ କମିଶନ୍ ଏବଂ ଭାରତର ଗଣତାନ୍ତ୍ରିକ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇ ଦୃଢ଼ତାର ସହିତ କହିଛନ୍ତି, “ମୁଁ ଏହା ୧୦୦ ପ୍ରତିଶତ ପ୍ରମାଣ ସହିତ କରୁଛି। ଆମେ ନିଶ୍ଚିତ ଯେ, କଂଗ୍ରେସର ବିଶାଳ ବିଜୟକୁ ପରାଜୟରେ ପରିଣତ କରିବା ପାଇଁ ଏକ ଯୋଜନା କାର୍ଯ୍ୟକାରୀ ହୋଇଥିଲା।”
