FeaturedLatestNews

ଧାନର ଏମ୍‌ଏସ୍‌ପି ବୃଦ୍ଧି, କ୍ୱିଣ୍ଟାଲ ପିଛା ମିଳିବ ଅତିରିକ୍ତ ୬୯ ଟଙ୍କା

ଭୁବନେଶ୍ବର (ସଂକେତ ଟିଭି): ଚାଷୀଙ୍କ ପାଇଁ ଏକ ଖୁସିର ଖବର ଆସିଛି । ଚଳିତ ଖରିଫ ଋତୁରେ ଉତ୍ପାଦିତ ଧାନ କ୍ୱିଣ୍ଟାଲ ପିଛା ଚାଷୀମାନେ ଗତ ବର୍ଷ ତୁଳନାରେ ୬୯ ଟଙ୍କା ଅଧିକ ପାଇବେ । କେନ୍ଦ୍ର ସରକାର ଧାନର ନ୍ୟୁନତମ ସମର୍ଥନ ମୂଲ୍ୟ (ଏମ୍‌ଏସ୍‌ପି) ବୃଦ୍ଧି କରିଛନ୍ତି, ଫଳସ୍ୱରୂପ ଚାଷୀଙ୍କୁ ପ୍ରତି କ୍ୱିଣ୍ଟାଲ ଧାନ ପାଇଁ ଅତିରିକ୍ତ ୬୯ ଟଙ୍କା ମିଳିବ ।

ଏହି ବର୍ଦ୍ଧିତ ଏମ୍‌ଏସ୍‌ପି ଅନୁଯାୟୀ, ଚାଷୀମାନେ ବର୍ତ୍ତମାନ ପ୍ରତି କ୍ୱିଣ୍ଟାଲ ଧାନ ପାଇଁ ୩,୧୦୦ ଟଙ୍କା ବଦଳରେ ୩,୧୬୯ ଟଙ୍କା ପାଇବେ । ଏଥିସହ ଗ୍ରେଡ୍-ଏ ଧାନର ମୂଲ୍ୟ ଆହୁରି ଅଧିକ ଅର୍ଥାତ୍ ପ୍ରତି କ୍ୱିଣ୍ଟାଲ ୩,୧୮୯ ଟଙ୍କା ହୋଇଛି । ଏହି ନୂତନ ମୂଲ୍ୟ ନିର୍ଧାରଣ ନେଇ ଓଡ଼ିଶା ସରକାରର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଆଜି ଏକ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି ।

ଉଲ୍ଲେଖ୍ୟ, କେନ୍ଦ୍ର ସରକାର ଧାନ ପାଇଁ ପ୍ରତି କ୍ୱିଣ୍ଟାଲ ନ୍ୟୁନତମ ସମର୍ଥନ ମୂଲ୍ୟ ୨,୩୬୯ ଟଙ୍କା ନିର୍ଦ୍ଧାରଣ କରିଛନ୍ତି । ଏଥିସହ ରାଜ୍ୟ ସରକାର ତରଫରୁ ଚାଷୀଙ୍କୁ ପ୍ରତି କ୍ୱିଣ୍ଟାଲ ପିଛା ୮୦୦ ଟଙ୍କା ଇନପୁଟ ସବସିଡି ମଧ୍ୟ ଦିଆଯାଉଛି । ଏହି ଦୁଇ ଯୋଗଫଳ ମିଶି ଚାଷୀଙ୍କୁ ପ୍ରତି କ୍ୱିଣ୍ଟାଲ ଧାନ ପାଇଁ ମୋଟ ୩,୧୬୯ ଟଙ୍କା ମିଳିବାର ବ୍ୟବସ୍ଥା ରହିଛି ।