FeaturedLatestNews

ଶୀତଲହରୀରେ ଥରିବ ଓଡ଼ିଶା, ଆଇଏମଡିର ସତର୍କତା ଜାରି

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ଶୀତର ପ୍ରଭାବ ଗଭୀର ହୋଇଛି। ଭାରତୀୟ ପାଣିପାଗ ବିଭାଗ (IMD) ଖୋର୍ଦ୍ଧା, କଟକ, ଅନୁଗୁଳ, ଝାରସୁଗୁଡ଼ା, କନ୍ଧମାଳ, ଏବଂ ସୁନ୍ଦରଗଡ଼ ସମେତ ଅନେକ ଜିଲା ପାଇଁ ଶୀତଲହରୀ ସତର୍କତା ଜାରି କରିଛି। ଆସନ୍ତା ଦୁଇ ଦିନ ମଧ୍ୟରେ ରାତିର ତାପମାତ୍ରା ଆହୁରି ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଆଇଏମଡି ଅନୁଯାୟୀ, ନଭେମ୍ବର ୧୧ ଏବଂ ୧୨ ତାରିଖରେ ଉପରୋକ୍ତ ଜିଲ୍ଲାଗୁଡ଼ିକର କିଛି ଅଞ୍ଚଳରେ ଶୀତଲହରୀ ଅନୁଭୂତ ହେବାର ସମ୍ଭାବନା ରହିଛି। ଆସନ୍ତା ଦୁଇରୁ ତିନି ଦିନ ମଧ୍ୟରେ ସମଗ୍ର ଓଡ଼ିଶାରେ ସର୍ବନିମ୍ନ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ ହ୍ରାସ ପାଇବାର ସମ୍ଭାବନା ରହିଛି, ଯାହା ଥଣ୍ଡାକୁ ଆହୁରି ବଢ଼ାଇବ।

ରାଜ୍ୟରେ ଶୀତର ଲହରୀ ସ୍ପଷ୍ଟ ଦେଖାଯାଉଛି। ରାଜ୍ୟର ୯ଟି ସହରର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ୍ ତଳେ ରହିଛି। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ରାତି ତାପମାତ୍ରା ହ୍ରାସ ପାଇବା ସହ ଥଣ୍ଡା ବଢୁଛି। ମୟୂରଭଞ୍ଜରେ ତାପମାତ୍ରା ୬ ଡିଗ୍ରୀ ପର୍ଯ୍ୟନ୍ତ ଖସିଛି। ଓଡ଼ିଶାର ‘କାଶ୍ମୀର’ ନାମରେ ଖ୍ୟାତ ଦାରିଙ୍ଗବାଡ଼ିରେ ତାପମାତ୍ରା ୧୧ ଡିଗ୍ରୀ ରହିଥିବା ବେଳେ ଝାରସୁଗୁଡ଼ା, ଫୁଲବାଣୀ, କୋରାପୁଟ, ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ, ଭଦ୍ରକ, କଳାହାଣ୍ଡି ପରି ସହରରେ ପାରଦ ୧୫ ଡିଗ୍ରୀ ତଳକୁ ଖସିଛି।

ସୁନ୍ଦରଗଡ଼ର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ମଧ୍ୟମ ଧରଣର କୁହୁଡ଼ି ଦେଖାଯାଇଥିବା ବେଳେ କଳାହାଣ୍ଡି ଏବଂ ଝାରସୁଗୁଡ଼ା ଜିଲାରେ ହାଲୁକା କୁହୁଡ଼ି ଦେଖାଦେଇଛି। ସକାଳୁ ସକାଳୁ ପାଗ ହାଲୁକା କୁହୁଡ଼ିଆ ରହିଥିବା ବେଳେ ସ୍ଥାନେ ସ୍ଥାନେ ଲୋକେ ମର୍ଣ୍ଣିଂୱାର୍କ କରୁଛନ୍ତି। ଚା ଖଟିରେ ବୟସ୍କଙ୍କ ଭିଡ଼ ଜମୁଛି।

ଆଜି ଦିନରେ ଆକାଶ ସଫା ନିର୍ମଳ ରହିବା ସହ ଅଧିକତମ ତାପମାତ୍ରା ୩୧ ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିବ ବୋଲି ଆଶା କରାଯାଉଛି। ତଥାପି, ରାତିର ଥଣ୍ଡା ବଢ଼ିବାର ପୂର୍ବାନୁମାନ ରହିଛି।