ଏନଆଇଏ ହାତକୁ ଗଲା ଦିଲ୍ଲୀ ବିଷ୍ପୋରଣର ତଦନ୍ତ ଭାର
ନୂଆଦିଲ୍ଲୀ (ସଂକେତ ଟିଭି): ଲାଲକିଲ୍ଲା ନିକଟରେ ସୋମବାର ସଂଧ୍ୟାରେ ଘଟିଥିବା କାର୍ ବିସ୍ଫୋରଣ ମାମଲାର ତଦନ୍ତ ରାଷ୍ଟ୍ରୀୟ ତଦନ୍ତକାରୀ ଏଜେନ୍ସି (NIA) କରିବ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇ ମାମଲାର ତଦନ୍ତ ଦାୟିତ୍ୱ ଏନଆଇଏକୁ ହସ୍ତାନ୍ତର କରିଛି । ଏହି ବିସ୍ଫୋରଣ ଏକାଧିକ ରାଜ୍ୟ ସହିତ ଜଡ଼ିତ ଥିବାର ସୂଚନା ମିଳିଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି ।
ଏହାକୁ ଲକ୍ଷ୍ୟ କରି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହଙ୍କ ଅଧ୍ୟକ୍ଷତାରେ ଆଜି ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଗୃହ ସଚିବ ଗୋବିନ୍ଦ ମୋହନ, ଆଇବି ନିର୍ଦ୍ଦେଶକ ତପନ ଡେକା, ଦିଲ୍ଲୀ ପୋଲିସ କମିଶନର ସତୀଶ ଗୋଲଚା ଏବଂ ଏନଆଇଏ ମହାନିର୍ଦ୍ଦେଶକ ବସନ୍ତ ଦାତେ ପ୍ରମୁଖ ଭାବରେ ଉପସ୍ଥିତ ଥିଲେ । ଜମ୍ମୁ କାଶ୍ମୀର ପୋଲିସ ମହାନିର୍ଦ୍ଦେଶକ ନଲିନ ପ୍ରଭାତ ଡିଜିଟାଲ୍ ମାଧ୍ୟମରେ ଏହି ବୈଠକରେ ଯୋଗଦାନ କରିଥିଲେ ।
ଏହି ଘଟଣା ସମ୍ପର୍କରେ ଦିଲ୍ଲୀ ପୋଲିସ ବେଆଇନ ଗତିବିଧି (ନିରୋଧ) ଅଧିନିୟମ ଏବଂ ବିସ୍ଫୋଟକ ଅଧିନିୟମ ଅଧୀନରେ ଏକ ଏଫଆଇଆର୍ ଦାଖଲ କରିଛି, ଯାହାକୁ ଆତଙ୍କବାଦୀ ଆକ୍ରମଣର ଷଡ଼ଯନ୍ତ୍ର ବୋଲି ଚିହ୍ନଟ କରାଯାଇଛି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ବିସ୍ଫୋରଣଗ୍ରସ୍ତ କାରର ଚାଳକ ଫରିଦାବାଦ ଆତଙ୍କବାଦୀ ମଡ୍ୟୁଲ ସହିତ ଜଡ଼ିତ ଥିବା ସମ୍ଭାବନା ରହିଛି ।
ବିସ୍ଫୋରଣ ସ୍ଥଳରେ ପ୍ରମାଣ ସଂଗ୍ରହ କରୁଥିବା ତଦନ୍ତକାରୀ ଏଜେନ୍ସି ପ୍ରାରମ୍ଭିକ ଯାଞ୍ଚରୁ ଜଣାପଡିଛି ଯେ ଏହି ବିସ୍ଫୋରଣରେ ଅମୋନିୟମ ନାଇଟ୍ରେଟ୍, ଇନ୍ଧନ ତୈଳ ଏବଂ ଡେଟୋନେଟର ବ୍ୟବହାର କରାଯାଇଥିବା ସମ୍ଭାବନା ଅଧିକ । ସୋମବାର ସଂଧ୍ୟା ୬.୫୨ ମିନିଟରେ ଲାଲକିଲ୍ଲା ନିକଟରେ ଘଟିଥିବା ଏହି ଶକ୍ତିଶାଳୀ ବିସ୍ଫୋରଣରେ ଏକ ବ୍ୟକ୍ତିର ମୃତ୍ୟୁ ହୋଇଥିବା ବେଳେ ଆହୁରି ୨୪ ଜଣ ଗୁରୁତର ଆହତ ହୋଇ ଏଲଏନଜେପି ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।
