FeaturedLatestNewsPolitics

ନୂଆପଡ଼ା ଉପନିର୍ବାଚନରେ ୮୧.୯୪% ରେକର୍ଡ୍ ମତଦାନ

ଭୁବନେଶ୍ୱର (ସଂକେତ ଟିଭି): ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ଉପନିର୍ବାଚନରେ ୮୧.୯୪% ରେକର୍ଡ୍ ମତଦାନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍.ଏସ୍. ଗୋପାଳନ୍ ଦର୍ଶାଇଛନ୍ତି। ଗତକାଲି ଶାନ୍ତିପୂର୍ଣ୍ଣ ଭାବରେ ଅନୁଷ୍ଠିତ ଏହି ନିର୍ବାଚନରେ ୨୦୨୪ ସାଧାରଣ ନିର୍ବାଚନ ତୁଳନାରେ ମତଦାନ ହାର ବଢ଼ିଛି।

ମତଦାନ ପ୍ରକ୍ରିୟା ମଙ୍ଗଳବାର ସକାଳ ୭ଟାରୁ ଆରମ୍ଭ ହୋଇଥିଲା। ମକ୍ ପୋଲ୍ ସମୟରେ ଯାନ୍ତ୍ରିକ ତ୍ରୁଟି ଚିହ୍ନଟ ହୋଇଥିବାରୁ ତିନିଟି ବାଲଟ୍ ୟୁନିଟ୍ ଏବଂ ତିନିଟି କଣ୍ଟ୍ରୋଲ୍ ୟୁନିଟ୍ ତୁରନ୍ତ ବଦଳାଯାଇଥିଲା। ସେହିପରି ଖରିଆରୋଡ୍ ଏନ୍‌ଏସି ମଙ୍ଗରାପାଲି ବୁଥ୍ ନମ୍ବର ୭୬ରେ ଇଭିଏମ୍ ସମସ୍ୟାର ମଧ୍ୟ ଦ୍ରୁତ ସମାଧାନ କରାଯାଇଥିଲା। ନୂଆପଡ଼ା ଓ କୋମନା ବ୍ଲକର କିଛି ବୁଥ୍ରେ ମତଦାନ ରାତି ୭ଟା ପର୍ଯ୍ୟନ୍ତ ଚାଲିଥିବା ବେଳେ ସୁନାବେଡ଼ା ଅଭୟାରଣ୍ୟ ସଂଲଗ୍ନ ମାଓପ୍ରବଣ ଅଞ୍ଚଳର ୮ଟି ବୁଥ୍ରେ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ମତଦାନ ହୋଇଥିଲା।

ନିର୍ବାଚନ ଅଧିକାରୀଙ୍କ ଉପସ୍ଥିତିରେ ସମସ୍ତ ଇଭିଏମ୍ ନୂଆପଡ଼ା ନ୍ୟାସନାଲ୍ କଲେଜରେ ଥିବା ଷ୍ଟ୍ରଙ୍ଗ୍ ରୁମ୍ରେ ଦାଖଲ କରାଯାଇଛି। ଏହି ଉପନିର୍ବାଚନ ସର୍ବତ୍ର ଶାନ୍ତିପୂର୍ଣ୍ଣ ହୋଇଥିବା କୁହାଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଜଣାଇଛନ୍ତି ଯେ ମୋଟ ୩୫୮ଟି ମତଦାନ କେନ୍ଦ୍ର ମଧ୍ୟରୁ ୪୭ଟି ସମ୍ବେଦନଶୀଳ ଏବଂ ୮ଟି ଅତି ସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇଥିଲା।

ବିଜେପି ପ୍ରାର୍ଥୀ ଜୟ ଢୋଲକିଆ, ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଏବଂ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ସହିତ ମୋଟ ୧୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମ୍ରେ ବନ୍ଦ ରହିଛି। ଆସନ୍ତା ୧୪ ତାରିଖରେ ନୂଆପଡ଼ା ନ୍ୟାସନାଲ୍ କଲେଜରେ ଭୋଟ ଗଣନା କରାଯିବ। ଏହି ନିର୍ବାଚନମଣ୍ଡଳୀରେ ମୋଟ ୨,୫୩,୬୨୪ ଜଣ ମତଦାତା ରହିଛନ୍ତି, ଯେଥିରେ ପୁରୁଷ ୧,୨୪,୧୦୮, ମହିଳା ୧,୨୯,୪୯୫, ବରିଷ୍ଠ ନାଗରିକ ୧,୭୮୬, ଯୁବ ଭୋଟର ୯,୪୨୯ ଏବଂ ଭିନ୍ନକ୍ଷମ ମତଦାତା ୩,୯୮୮ ଜଣ ଅଛନ୍ତି।