FeaturedLatestNews

ନୂଆପଡ଼ା ଉପନିର୍ବାଚନ : ଆସନ୍ତାକାଲି ଭୋଟ ଗଣତି

ଭୁବନେଶ୍ୱର (ସଂକେତ ଟିଭି): ଆସନ୍ତାକାଲି ସକାଳ ୮ଟାରେ ନୂଆପଡ଼ା ଉପନିର୍ବାଚନର ଭୋଟ ଗଣତି ଆରମ୍ଭ ହେବ। ଏହି ଗଣତି ୨୬ ରାଉଣ୍ଡରେ ୧୪ଟି ଟେବୁଲରେ ଅନୁଷ୍ଠିତ ହେବ ଏବଂ ପ୍ରଥମେ ବାଲାଟ ଓ ପରେ ଇଭିଏମ ମେସିନ୍ରେ ସଞ୍ଚିତ ଭୋଟ ଗଣାଯିବ। ମୁଖ୍ୟ ନିର୍ବାଚନ ଅଧିକାରୀ ଏନେଇ ଏହି ଘୋଷଣା କରିଛନ୍ତି। କାଉଣ୍ଟିଂ ଆରମ୍ଭ ହେବାର ଦୁଇ ଘଣ୍ଟା ପୂର୍ବରୁ ସମସ୍ତ ପ୍ରସ୍ତୁତି ସମାପ୍ତ କରାଯିବ ବୋଲି ଜଣାଯାଇଛି।

ନ୍ୟାସନାଲ କଲେଜ ପରିସରରେ ଅବସ୍ଥିତ ଷ୍ଟ୍ରଙ୍ଗରୁମକୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ରଖାଯାଇଛି। କାଉଣ୍ଟିଂ ହଲକୁ ପ୍ରବେଶ ପୂର୍ବରୁ ତିନି ଜାଗାରେ ଚେକିଙ୍ଗ ହେବ ଏବଂ କେବଳ ଅଧିକୃତ ବ୍ୟକ୍ତିଙ୍କୁ ପ୍ରବେଶ ଅନୁମତି ମିଳିବ। ଭୋଟ ଗଣତି ପାଇଁ ୧୪ଟି ଗଣନା ଟେବୁଲ ଓ ପୋଷ୍ଟାଲ ଭୋଟ ପାଇଁ ଅଲଗା ଏକ ଟେବୁଲ ରଖାଯାଇଛି। ସକାଳ ୮ଟାରେ ପୋଷ୍ଟାଲ ବାଲାଟ ଗଣନା ଆରମ୍ଭ ହୋଇ ସକାଳ ୮ଟା ୩୦ ମିନିଟରେ ଇଭିଏମ ଗଣନା କାର୍ଯ୍ୟ ଆରମ୍ଭ ହେବ। ସମସ୍ତ ଗଣନା କାର୍ଯ୍ୟ ସିସିଟିଭି କ୍ୟାମେରାରେ ନଜରରେ ରଖାଯିବ ଏବଂ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ, ଜିଲ୍ଲା ନିର୍ବାଚନ ଅଧିକାରୀ ଓ ପୋଲିସ ପ୍ରଶାସନ ଉପସ୍ଥିତ ରହିବେ।

ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଗଣନା ଦାୟିତ୍ୱରେ ନିୟୋଜିତ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇସରିଛି। ପ୍ରତି ଗଣନା ଟେବୁଲରେ ଜଣେ କାଉଣ୍ଟିଂ ଆସିଷ୍ଟାଣ୍ଡ, ଜଣେ କାଉଣ୍ଟିଂ ସୁପରଭାଇଜର ଓ ଜଣେ ମାଇକ୍ରୋ ଅବଜର୍ଭର ସହିତ ମୋଟ ୪୨ ଜଣ ବରିଷ୍ଠ ଅଧିକାରୀ ନିୟୋଜିତ ହେବେ। ଅନ୍ତିମ ରାଉଣ୍ଡ ଶେଷ ହେବା ପରେ ନିର୍ବାଚନ ଅଧିକାରୀ ବିଜେତାଙ୍କ ନାମ ଘୋଷଣା କରିବେ ଏବଂ ଜୟସନଦ ପ୍ରଦାନ କରିବେ।

୧୯୫୧ ପରଠାରୁ ନୂଆପଡ଼ାରେ ଏବର୍ଷ ସର୍ବାଧିକ ୮୩.୪୫% ମତଦାନ ରେକର୍ଡ ହୋଇଛି। ବିଜେପି, ବିଜେଡି ଓ କଂଗ୍ରେସ ସମେତ ୧୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମ୍‌ ମଧ୍ୟରେ ଅଛି। କାହାକୁ ନିଜର ନେତା ଭାବରେ ଦାୟିତ୍ୱ ଦେବେ ନୂଆପଡ଼ାବାସୀ, ତାହା ଆସନ୍ତାକାଲି ସ୍ପଷ୍ଟ ହୋଇଯିବ। ଏହି ଉପନିର୍ବାଚନକୁ ନେଇ ସମସ୍ତ ରାଜନୈତିକ ଦଳ ଓ ଭୋଟରଙ୍କ ମଧ୍ୟରେ ଗଭୀର ଉତ୍କଣ୍ଠା ରହିଛି।