FeaturedLatestNews

ସିବିଆଇ ହାତକୁ ଗଲା ପୋଲିସ ଏସ୍ଆଇ ପରୀକ୍ଷା ସ୍କାମ୍

ଭୁବନେଶ୍ୱର (ସଂକେତ ଟିଭି): ପୋଲିସ୍ ଏସ୍ଆଇ ପରୀକ୍ଷାରେ ଘଟିଥିବା ସ୍କାମ୍ ମାମଲାକୁ ସିବିଆଇ ରୁଜୁ କରିଛି । ସିବିଆଇର ଭୁବନେଶ୍ୱର ଶାଖା ପକ୍ଷରୁ ଏହି ମାମଲା ରୁଜୁ କରାଯାଇଛି ଏବଂ ଜଣେ ଡିଏସ୍ପିଙ୍କ ନେତୃତ୍ୱରେ ଏକ ତଦନ୍ତ ଟିମ୍ ଗଠନ କରାଯାଇ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ କରିବ । ଏହି କ୍ରମରେ, ସିବିଆଇ କ୍ରାଇମ୍ ବ୍ରାଞ୍ଚର ଅନୁସନ୍ଧାନକାରୀ ଅଧିକାରୀଙ୍କଠାରୁ ସମସ୍ତ ତଥ୍ୟ ଓ କାଗଜପତ୍ର ନେଇ ସଂପୂର୍ଣ୍ଣ ମାମଲା ହାତକୁ ନେଇଛି ।

ଏସ୍ଆଇ ପରୀକ୍ଷା ସ୍କାମ୍ ମାମଲାର ଅନୁସନ୍ଧାନ କ୍ରାଇମ୍ ବ୍ରାଞ୍ଚ କରୁଥିବା ବେଳେ ଗତ କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହାର ତଦନ୍ତ ସିବିଆଇଦ୍ୱାରା କରାଯାଉ ବୋଲି ସୁପାରିଶ କରିଥିଲେ । ତାହା ପରେ କେନ୍ଦ୍ର ସରକାରଙ୍କ ଅନୁମୋଦନ ମିଳିବା ପରେ ସିବିଆଇ ତଦନ୍ତ ଆରମ୍ଭ କରିଛି । ଏହି ମାମଲା ରୁଜୁ ହେବା ପରେ ସିବିଆଇ ପକ୍ଷରୁ ପ୍ରଥମେ କ୍ରାଇମ୍ ବ୍ରାଞ୍ଚ ଆଇଓଙ୍କଠାରୁ ସମସ୍ତ ତଥ୍ୟ ନେଇଛି ।

ଏହି ସ୍କାମ୍ ସଂପର୍କରେ ଗତ ବୁଧବାର ଶଙ୍କର ପୃଷ୍ଟିର ଏକାନ୍ତ ଘନିଷ୍ଠ ତଥା କେୟାରଟେକର ସାଗର ଗୌଡ଼ଙ୍କୁ ଗିରଫ କରାଯାଇଥିଲା । ସାଗର ଦୀଘା ମଡ୍ୟୁଲ ସମ୍ଭାଳୁଥିବା ବର୍ଣ୍ଣନା କରାଯାଇଛି ଏବଂ ଆର୍ଥିକ ନେଣଦେଣ ସମ୍ବନ୍ଧୀୟ କିଛି ତଥ୍ୟ ମଧ୍ୟ ମିଳିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ସ୍କାମ୍ ମାମଲାରେ ମୋଟ ୧୨୬ ଜଣଙ୍କୁ ଗିରଫ କରାଯାଇସାରିଛି ।

ସିବିଆଇ ତଦନ୍ତ ଆରମ୍ଭ କରିବା ଫଳରେ ଅନୁସନ୍ଧାନର ଦିଗ ବଦଳିବା ସହିତ ଅନେକ ବଡ଼ ବଡ଼ିଆ ଲୋକଙ୍କ ଉପରେ ମଧ୍ୟ ଅଡୁଆ ବଢିବା ସମ୍ଭାବନା ରହିଛି ବୋଲି ଅନୁମାନ କରାଯାଉଛି ।