EducationFeaturedLatestNews

ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାର ଲୋଗୋ ଉନ୍ମୋଚିତ

ଭୁବନେଶ୍ବର (ସଂକେତ ଟିଭି): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଲୋକସଭା ଭବନରେ ‘ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ’ ଯୋଜନାର ଲୋଗୋ ଉନ୍ମୋଚିତ ହୋଇଛି ।

ଏହି ଲୋଗୋ ମାଧ୍ୟମରେ ଓଡ଼ିଆ ସଂସ୍କୃତି, ମହାନ ଶିକ୍ଷାବିତ୍ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଆଦର୍ଶ ଏବଂ ଶିକ୍ଷାର ମହତ୍ତ୍ୱକୁ ଫୁଟିକିଆ ଉଠାଇ ଦର୍ଶାଯାଇଛି । ମୁଖ୍ୟମନ୍ତ୍ରୀ ଲୋଗୋର ବିଭିନ୍ନ ତତ୍ତ୍ୱ ବ୍ୟାଖ୍ୟା କରି କହିଛନ୍ତି ଯେ ଏଥିରେ ଥିବା ଖୋଲା ପୁସ୍ତକ ଜ୍ଞାନର ଜାଗରଣକୁ, କଲମ ମୁନର ସୃଜନଶୀଳତାକୁ ଏବଂ ମଶାଲ ସତ୍ୟ ଓ ଜ୍ଞାନର ଆଲୋକକୁ ପ୍ରତିନିଧିତ୍ୱ କରେ । ତିନୋଟି ତାରା ଜ୍ଞାନ, ଚରିତ୍ର ଓ ସେବାକୁ ସୂଚିତ କରେ ।

ଏହି ଯୋଜନା ଅନ୍ତର୍ଗତ ପ୍ରଥମ ପର୍ଯ୍ୟାୟରେ ୨୨୦୦ ବିଦ୍ୟାଳୟକୁ ସୁଦୃଢ଼ କରାଯିବ, ଯାହାପାଇଁ ପ୍ରାୟ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବାର ନିର୍ଦ୍ଦେଶ ରହିଛି । ଏହି ଖର୍ଚ୍ଚ ୨୦୨୫-୨୬ ରୁ ୨୦୨୮-୨୯ ଆର୍ଥିକ ବର୍ଷ ମଧ୍ୟରେ କରାଯିବ । ପଞ୍ଚାୟତ ସ୍ତରରେ ଯେଉଁ ଗ୍ରାମରେ ଅନ୍ୟୁନ ୫ ଏକର ଜମି ଉପଲବ୍ଧ ହେବ ଏବଂ ଗମନାଗମନ ସୁବିଧା ରହିଥିବ, ସେହି ଗ୍ରାମକୁ ଏହି ଯୋଜନା ଅନ୍ତର୍ଭୁକ୍ତ କରିବାକୁ ପ୍ରାଥମିକତା ଦିଆଯିବ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନା ରାଜ୍ୟର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ଗୁଣାତ୍ମକ ଭାବରେ ଉନ୍ନତ କରିବ । ଆଧୁନିକ ସୁବିଧାସମ୍ପନ୍ନ ଶ୍ରେଣୀଗୃହ, ଡିଜିଟାଲ୍ ଶିକ୍ଷଣ ଉପକରଣ, କ୍ରୀଡ଼ା ସମଗ୍ରୀ ଓ ସରଳ ଗମନାଗମନ ବ୍ୟବସ୍ଥା ସହିତ ଏହି ବିଦ୍ୟାଳୟଗୁଡ଼ିକ ଗ୍ରାମୀଣ ଅଞ୍ଚଳର ପିଲାମାନଙ୍କ ଶିକ୍ଷାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବ । ଶିକ୍ଷାକୁ ଆକର୍ଷଣୀୟ ଓ ପ୍ରଭାବଶାଳୀ କରିବାରେ ଏହି ଯୋଜନା ନିର୍ଣ୍ଣାୟକ ଭୂମିକା ନେବ ବୋଲି ସେ ମଧ୍ୟ କହିଛନ୍ତି ।

କାର୍ଯ୍ୟକ୍ରମରେ ଉପସ୍ଥିତ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ ଏହା କେବଳ ଏକ ଶିକ୍ଷା ସଂସ୍କାର ଯୋଜନା ନୁହେଁ, ବରଂ ପ୍ରତ୍ୟେକ ପିଲାଙ୍କୁ ସୁଗମ, ସମାନ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାର ଏକ ସଂକଳ୍ପ । ଗ୍ରାମାଞ୍ଚଳରେ ପ୍ରାଥମିକ ଶିକ୍ଷାକୁ ମଜବୁତ କରିବା ମୁଖ୍ୟମନ୍ତ୍ରୀଙ୍କର ଏକ ବିଶେଷ ପରିକଳ୍ପନା ବୋଲି ସେ ଉଲ୍ଲେଖ କରିଛନ୍ତି ।

ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପ୍ରମୁଖ ସଚିବ ଶାଶ୍ବତ ମିଶ୍ର, କମିଶନର-କମ-ସଚିବ ଡ଼ଃ ଏନ. ତିରୁମାଲା ନାୟକ, ଓସେପା ପ୍ରକଳ୍ପ ନିର୍ଦ୍ଦେଶିକା ଅନନ୍ୟା ଦାସ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।