FeaturedGeneralLatestPolitics

ଦଶମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର, ଗୁରୁବାର ଶପଥ ଗ୍ରହଣ

ପାଟନା (ସଂକେତ ଟିଭି): ଜନତା ଦଳ (ୟୁନାଇଟେଡ଼) ନେତା ନୀତୀଶ କୁମାର ପୁଣି ଥରେ ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ । ଏନଡିଏ ବିଧାୟକ ଦଳର ବୈଠକରେ ତାଙ୍କୁ ଦଳର ନେତା ଭାବରେ ନିର୍ବାଚିତ କରାଯାଇଛି । ସେ ଗୁରୁବାର ଦଶମ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ ଏବଂ ସରକାର ଗଠନ ପାଇଁ ଆଜି ରାଜ୍ୟପାଳଙ୍କୁ ଭେଟିବେ ।

ବୁଧବାର ସକାଳେ ହୋଇଥିବା ଜେଡିୟୁ ବିଧାୟକ ଦଳର ବୈଠକରେ ନୀତୀଶ କୁମାରଙ୍କୁ ଦଳର ନେତା ମନୋନୀତ କରାଯାଇଥିଲା । ଏହି ନିଷ୍ପତ୍ତି ପରେ ବିଜେପି ବିଧାୟକ ଦଳର ବୈଠକରେ ସମ୍ରାଟ ଚୌଧୁରୀଙ୍କୁ ନେତା ଏବଂ ବିଜୟ ସିହ୍ନାଙ୍କୁ ଉପନେତା ଭାବେ ମନୋନୀତ କରାଯାଇଥିଲା । ବିହାର ବିଜେପି ରାଜ୍ୟ ସଭାପତି ଦିଲୀପ ଜୟସୱାଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ବିହାରରେ ହେବା ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ।

ସରକାର ଗଠନ ପରେ ବାଚସ୍ପତି ପଦବୀକୁ ନେଇ ବିଜେପି ଏବଂ ଜେଡିୟୁ ମଧ୍ୟରେ ଟଣାଟାଣି ଜାରି ରହିଛି । ସୂତ୍ର ଅନୁଯାୟୀ ଜେଡିୟୁର ବିଜୟ ଚୌଧୁରୀ ଏବଂ ବିଜେପିର ପ୍ରେମ କୁମାରଙ୍କୁ ବାଚସ୍ପତି ପଦ ପାଇଁ ଦାବିଦାର ଅଛନ୍ତି । ବିଦାୟୀ ବିଧାନସଭାରେ, ବିଜେପିର ନନ୍ଦ କିଶୋର ଯାଦବ ବାଚସ୍ପତି ଥିବା ବେଳେ ଜେଡିୟୁର ନରେନ୍ଦ୍ର ନାରାୟଣ ଯାଦବ ଉପବାଚସ୍ପତି ଥିଲେ ।

ନୀତୀଶ କୁମାର ବିହାରର ୧୯ତମ ମୁଖ୍ୟମନ୍ତ୍ରୀ ହେବେ । ବର୍ତ୍ତମାନ ବିଧାନସଭା ଆଜି ଭଙ୍ଗ କରାଯିବ । ଗୁରୁବାର ପାଟନାର ଗାନ୍ଧୀ ମୈଦାନରେ ନୂଆ ସରକାରଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ଦିନ ୧୧ଟାରୁ ୧୨.୩୦ ମିନିଟ୍ ମଧ୍ୟରେ ଏହି କାର୍ଯ୍ୟକ୍ରମ ହେବ । ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବ୍ୟତିତ ଏନ୍‌ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ ।

ବିହାର ବିଧାନସଭାର କାର୍ଯ୍ୟକାଳ ନଭେମ୍ୱର ୨୨ ତାରିଖରେ ଶେଷ ହେବାର ଥିଲା । ଏହା ପୂର୍ବରୁ ନୂଆ ସରକାର ଗଠନ କରାଯାଉଛି । ସୂତ୍ର ଅନୁସାରେ ମନ୍ତ୍ରୀମଣ୍ଡଳରେ ବିଜେପି କୋଟାରୁ ୧୫-୧୬ ମନ୍ତ୍ରୀ ରହିପାରନ୍ତି । ଅନ୍ୟପଟେ ଜେଡିୟୁରୁ ଜଣେ ମୁଖ୍ୟମନ୍ତ୍ରୀ ସହ ୧୪ ମନ୍ତ୍ରୀ ହେବା ସମ୍ଭାବନା ରହିଛି । ଏଥିସହ ଚିରାଗ ଦଳରୁ ତିନି ମନ୍ତ୍ରୀ ଓ ହିନ୍ଦୁସ୍ତାନୀ ଆୱାମୀ ମୋର୍ଚ୍ଚା (ହମ) ଏବଂ କୁଶୱାହା ସଂଘର୍ଷ ଦଳରୁ ଗୋଟିଏ ଲେଖାଏଁ ମନ୍ତ୍ରୀ ରହିପାରନ୍ତି ।