୨୦୨୭ ଜନଗଣନା ପରେ ଓଡ଼ିଶାରେ ବଢିବ ତହସିଲ ସଂଖ୍ୟା
ଭୁବନେଶ୍ବର (ସଂକେତ ଟିଭି): ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଜଣାଇଛନ୍ତି ଯେ, ୨୦୨୭ ମସିହାରେ ଅନୁଷ୍ଠିତ ହେବାକୁ ଥିବା ଜନଗଣନା ପରେ ରାଜ୍ୟରେ ତହସିଲ ସଂଖ୍ୟା ବୃଦ୍ଧି ପାଇବ । ଏହି ପରିବର୍ତ୍ତନ ଦୁଇ ପର୍ଯ୍ୟାୟରେ କାର୍ଯ୍ୟକାରୀ କରାଯିବ । ପ୍ରଥମ ପର୍ଯ୍ୟାୟରେ ବଡ଼ ତହସିଲଗୁଡ଼ିକୁ ବିଭାଜିତ କରାଯାଇ ଛୋଟ ତହସିଲରେ ପରିଣତ କରାଯିବ । ଆରମ୍ଭରେ ପ୍ରତି ଦୁଇଟି ପଞ୍ଚାୟତପାଇଁ ଗୋଟିଏ ରାଜସ୍ୱ ଇନ୍ସ୍ପେକ୍ଟର (RI) ସର୍କଲ ଗଠନ କରାଯିବ ଏବଂ ପରବର୍ତ୍ତୀ ସମୟରେ ପ୍ରତ୍ୟେକ ପଞ୍ଚାୟତପାଇଁ RI ସର୍କଲ କରାଯିବ ।
ରାଜସ୍ୱ ସେବାକୁ ତ୍ୱରାନ୍ୱିତ ଏବଂ ତୃଣମୂଳ ସ୍ତରରେ ପ୍ରଶାସନିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଆଉ ୪ଟି ନୂତନ ତହସିଲ ଗଠନ କରିବାର ନିଷ୍ପତ୍ତି ନେଇଛନ୍ତି । ଏହି ନୂତନ ତହସିଲଗୁଡ଼ିକୁ ଯୋଡ଼ା ଯାଇଥିବା ରାଜ୍ୟର ମୋଟ ତହସିଲ ସଂଖ୍ୟା ୩୧୭ରୁ ବଢ଼ିଯାଇ ୩୨୧ ହେବ । ନୂତନ ତହସିଲଗୁଡ଼ିକ ହେଲେ: ଭୁବନେଶ୍ୱର ତହସିଲକୁ ବିଭକ୍ତ କରି ଦୁଇଟି ଅତିରିକ୍ତ ତହସିଲ, ସେହିଭଳି କଟକ ତହସିଲ ଏବଂ ସମ୍ବଲପୁର ତହସିଲରୁ ଗୋଟିଏ ଲେଖାଏଁ ଅତିରିକ୍ତ ତହସିଲ ଗଠିତ ହେବ ।
ଏହି କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମଙ୍ଗଳବାର ଦିନ ତିନୋଟି ସମ୍ବନ୍ଧିତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଜାରି କରିଛି । ଏହି ଚିଠିରେ ନୂତନ ତହସିଲ ଗଠନ ପାଇଁ ଆବଶ୍ୟକ କାର୍ଯ୍ୟପନ୍ଥା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ସମ୍ପୃକ୍ତ ରାଜସ୍ୱ ବିଭାଗୀୟ କମିଶନର (RDCs) ମାନଙ୍କୁ ଆଗାମୀ ୭ ଦିନର ମଧ୍ୟରେ ଏହି ପ୍ରକ୍ରିୟା ଆରମ୍ଭ କରିବାକୁ ମଧ୍ୟ କୁହାଯାଇଛି ।
