FeaturedGeneralLatestPolitics

ଦଶମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ କୁମାର

ପାଟନା (ସଂକେତ ଟିଭି): ବିହାରରେ ପୁଣି ଥରକା ନୀତିଶ କୁମାରଙ୍କ ଯୁଗ ଆରମ୍ଭ ହେଲା । ପଟନାର ଗାନ୍ଧୀ ମୈଦାନରେ ଅନୁଷ୍ଠିତ ଏକ ଭବ୍ୟ ସମାରୋହରେ ସେ ଦଶମ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରି ଏକ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି । ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନଙ୍କ ଦ୍ଵାରା ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଯାଇଥିଲା । ଏହି ଘଟଣା ବିହାରର ରାଜନୈତିକ ଇତିହାସରେ ଏକ ଗୁରୁତ୍ଵପୂର୍ଣ୍ଣ ମୈଲଖୁଣ୍ଟ ବିବେଚିତ ହେଉଛି, ଯେଉଁଥିରେ ନୀତିଶ କୁମାର ରାଜ୍ୟର ସବୁଠାରୁ ଦୀର୍ଘକାଳୀନ ମୁଖ୍ୟମନ୍ତ୍ରୀ ହେବାର ଗୌରବ ହାସଲ କରିଛନ୍ତି ।

ଏହି ନୂତନ ମନ୍ତ୍ରୀମଣ୍ଡଳରେ ନୀତିଶ କୁମାରଙ୍କ ସହ ଦୁଇ ଜଣ ଉପ-ମୁଖ୍ୟମନ୍ତ୍ରୀ ଭାବରେ ସମ୍ରାଟ ଚୌଧୁରୀ ଏବଂ ବିଜୟ କୁମାର ସିହ୍ନା ଶପଥ ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଘେରି ମୋଟ ୨୭ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି, ଯେଉଁମାନଙ୍କ ମଧ୍ୟରେ ବିଜୟ ଚୌଧୁରୀ, ବିଜୟନ୍ଦ୍ର ଯାଦବ, ଶ୍ରାବଣ କୁମାର, ମଙ୍ଗଲ ପାଣ୍ଡେ, ଦିଲୀପ ଜୈସୱାଲ, ଅଶୋକ ଚୌଧୁରୀ, ଲେସୀ ସନ୍ଥ, ରାମିନ ସାହିନୀ, ଜାମା ଖାନ, ସଞ୍ଜୟ ସିଂ ଟାଇଗର, ଅରୁଣ ଶଙ୍କର, ସୁରେନ୍ଦ୍ର ମେହେଟ୍ଟା, ନାରାୟଣ ପ୍ରସାଦ, ରାମ ନିଶାଦ, ଲକ୍ଷେନ୍ଦ୍ର କୁମାର ରୋଶନ, ଶ୍ରେୟସୀ ସିଂ, ପ୍ରମୋଦ କୁମାର, ସଞ୍ଜୟ କୁମାର ସିଂ ଏବଂ ଦୀପକ ପ୍ରକାଶ ଆଦି ପ୍ରମୁଖ ନେତା ଅନ୍ତର୍ଭୁକ୍ତ ।

ଏହି ଐତିହାସିକ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ବିଭିନ୍ନ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଉପସ୍ଥିତ ଥିଲେ । ଉଲ୍ଲେଖନୀୟ ଯେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମଧ୍ୟ ଏହି ସମାରୋହରେ ଯୋଗଦାନ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି ନିଜର ଅନନ୍ୟ ଶୈଳୀରେ ଗାମୁଛା ହଲାଇ ବିହାରବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ନୂତନ ମନ୍ତ୍ରୀମଣ୍ଡଳକୁ ଶୁଭେଚ୍ଛା ଜଣାଇଥିଲେ ।

ନୀତିଶ କୁମାରଙ୍କ ରାଜନୈତିକ ଯାତ୍ରା ବିହାରରେ ମାର୍ଚ୍ଚ ୩, ୨୦୦୦ରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ ସହିତ ଆରମ୍ଭ ହୋଇଥିଲା । ତାଙ୍କର ଦଶମ ଶପଥ ଗ୍ରହଣ କେବଳ ଏକ ବ୍ୟକ୍ତିଗତ ରେକର୍ଡ ନୁହେଁ, ବରଂ ବିହାରର ରାଜନୀତିରେ ତାଙ୍କର ଅବିଚଳ ପ୍ରତିଷ୍ଠା ଏବଂ ନେତୃତ୍ଵର ପ୍ରତୀକ ।