FeaturedLatestNews

ଶୀତକାଳୀନ ଅଧିବେଶନ ଆରମ୍ଭ : ରାଷ୍ଟ୍ରପତିଙ୍କ ଉଦବୋଧନ, ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ବର (ସଂକେତ ଟିଭି): ଆସନ୍ତା ୨୭ ତାରିଖରୁ ଆରମ୍ଭ ହେବାକୁ ଥିବା ବିଧାନସଭାର ଶୀତକାଳୀନ ଅଧିବେଶନ ପୂର୍ବରୁ ଗୁରୁବାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇସାରିଛି । ବିଧାନସଭା ସୁରୁଖୁରୁରେ ଚଳାଇବା ପାଇଁ ଏହି ବୈଠକରେ ଆଲୋଚନା ହୋଇଛି । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ଏବଂ ବିଧାନସଭାରେ ଉଦବୋଧନ ଦେବା ବିଷୟ ମଧ୍ୟ ଏଥିରେ ଆଲୋଚିତ ହୋଇଛି । ବିଧାନସଭା ପକ୍ଷରୁ ଏସବୁ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । କିଭଳି ଭାବେ ବିଧାନସଭାରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ, ଜିରୋ ଆୱାର କେତେ ସମୟ ରହିବ, ସରକାରୀ ଦଳ ଓ ବିରୋଧୀ ଦଳ କେତେ ସମୟ କହିବେ ସେ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି ।

ରାଷ୍ଟ୍ରପତିଙ୍କ ଉଦବୋଧନ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଅତ୍ୟଧିକ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବ୍ଲୁ ବୁକ୍ ଗାଇଡ଼ଲାଇନ୍ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା କରାଯାଇଛି ଏବଂ ଅଧିବେଶନ ସମୟରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିବ । ଏଥିପାଇଁ ୩୩ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏହା ଛଡ଼ା ଷ୍ଟ୍ରାଇକିଂ ଫୋର୍ସ, ଏସ୍‌ଟିୟୁ, ବୋମା ନିଷ୍କ୍ରିୟକାରୀ ଦଳ, ଡଗ୍ ସ୍କ୍ୱାଡ୍ ଓ ଅଗ୍ନିଶମ ବିଭାଗ ମଧ୍ୟ ଦାୟିତ୍ୱରେ ରହିବେ । ଡିସିପି ସୁରକ୍ଷା ତଦାରଖ ଦାୟିତ୍ୱରେ ଥିବାବେଳେ ତାଙ୍କ ଅଧୀନରେ ୭ ଜଣ ଅତିରିକ୍ତ ଡିସିପି, ୨୩ ଜଣ ଏସିପି, ୨୬ ଜଣ ଇନ୍ସପେକ୍ଟର ଏବଂ ୮୮ ଜଣ ଏସଆଇ ଓ ଏଏସଆଇ କାର୍ଯ୍ୟରତ ରହିବେ ।

ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଦୃଢ଼ କରିବା ପାଇଁ ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଖଞ୍ଜାଯାଇଛି ଏବଂ ୫ଟି ଅସ୍ଥାୟୀ ପୋଲିସ କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇଛି । କଣ୍ଟ୍ରୋଲ୍ ରୁମ୍ରେ ପ୍ରତ୍ୟେକ ଦିଗ ଉପରେ ନିରନ୍ତର ନଜର ରଖି ସ୍ଥିତି ନିୟନ୍ତ୍ରଣ କରାଯିବ । ୨୨୫ ଜଣ ଅଧିକାରୀ ଏହି ଦାୟିତ୍ୱରେ ରହିଛନ୍ତି । ଅଧିବେଶନ ଆରମ୍ଭ ପୂର୍ବରୁ ହିଁ ବିଧାନସଭା ଏବଂ ତାହାର ଆଖପାଖ ଅଞ୍ଚଳକୁ ପୋଲିସ ଛାଉଣୀ କରାଯାଇଛି ଏବଂ ବ୍ୟାରିକେଡିଂ କରାଯାଇଛି । ଲୋୟର ପିଏମ୍ଜି ଅଞ୍ଚଳରେ ୧୪୪ ଧାରା ଜାରି କରାଯିବ । ସମ୍ପୂର୍ଣ୍ଣ ବିଧାନସଭା କ୍ଷେତ୍ର ଏବଂ ତାହାର ସଂଲଗ୍ନ ଅଞ୍ଚଳ ସିସିଟିଭି ସର୍ଭେଲାନ୍ସ ତଥା ସମ୍ପୂର୍ଣ୍ଣ ପୋଲିସ ପ୍ରଶାସନର କଡ଼ା ନଜରରେ ରହିବ ।