CulturalFeaturedLatestNews

ମନ୍ଦିରରୁ ମୂର୍ତ୍ତି ଚୋରି କ୍ଷେତ୍ରରେ ବିଶ୍ୱସ୍ତରରେ ଓଡ଼ିଶାର ଛବି ଖରାପ

ଭୁବନେଶ୍ୱର (ସଂକେତ ଟିଭି): ମନ୍ଦିରରୁ ମୂର୍ତ୍ତି ଚୋରି କ୍ଷେତ୍ରରେ ବିଶ୍ୱସ୍ତରରେ ଓଡ଼ିଶାର ଛବି ବହୁତ ଖରାପ ହୋଇଛି । ଏହି ସମସ୍ୟାର ସମାଧାନ ନିମନ୍ତେ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଶନିବାର ରାଜ୍ୟ ସଭାଗୃହରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏ ସମ୍ବନ୍ଧରେ ବିସ୍ତୃତ ଉତ୍ତର ଦେଇଛନ୍ତି ।

ମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ, ପ୍ରାଚୀନ ମୂର୍ତ୍ତି ଯେତେବେଳେ ବନ୍ଦରରୁ ଧରା ପଡୁଛି, ସେତେବେଳେ ଓଡ଼ିଶା ତାହା ନିଜର ବୋଲି ଦାବି କରିବାରେ ଅସୁବିଧା ହେଉଛି । ଏଥିପାଇଁ ସେହି ମୂର୍ତ୍ତିର ଉଚିତ ଡକ୍ୟୁମେଣ୍ଟେସନ୍ ଏବଂ ଡିଜିଟାଲ ଫୁଟପ୍ରିଣ୍ଟ ଚିହ୍ନଟ ହେବା ଜରୁରୀ ।

ଏହି ଅଭାବ ଦୂର କରିବା ପାଇଁ ସଂସ୍କୃତି, ପର୍ଯ୍ୟଟନ ଓ ପୂର୍ତ୍ତ ବିଭାଗ ପକ୍ଷରୁ ଗତ ୨୬ ଅକ୍ଟୋବରରେ ‘ସେଣ୍ଟର ଫର ହେରିଟେଜ ଷ୍ଟାଡିଜ୍’ ସହ ଏକ ଚୁକ୍ତିନାମା ସ୍ବାକ୍ଷର କରାଯାଇଛି । ଏହି ଯୋଜନା ଅଧୀନରେ ରାଜ୍ୟର ୪,୦୦୦ରୁ ଅଧିକ ଅଣ-ସଂରକ୍ଷିତ କୀର୍ତ୍ତିରାଜିର ସଠିକ୍ ଚିହ୍ନଟ, ଡକ୍ୟୁମେଣ୍ଟେସନ୍ ଏବଂ ଗବେଷଣା କାର୍ଯ୍ୟ ହାତକୁ ନିଆଯିବ ।

ଏହି କାର୍ଯ୍ୟ ୩ ବର୍ଷର ଅବଧିରେ ସମ୍ପନ୍ନ କରାଯିବାର ପରିକଳ୍ପନା ରହିଛି । ଏଥିପାଇଁ ପ୍ରତ୍ନତତ୍ତ୍ୱ ବିଦ୍, ଗବେଷକ, ସର୍ଭେୟରଙ୍କ ସମେତ ଆନ୍ଥ୍ରୋପୋଲୋଜି, ଆର୍କିଓଲୋଜି, ମ୍ୟୁଜିଓଲୋଜି ଏବଂ ଇତିହାସ ବିଭାଗର ଛାତ୍ରଛାତ୍ରୀଙ୍କୁ ଇଣ୍ଟର୍ନ୍ ଭାବରେ ନିୟୋଜିତ କରାଯିବ । ଏହି ପଦକ୍ଷେପ ମାଧ୍ୟମରେ ଓଡ଼ିଶାର ସଂସ୍କୃତିକ ସମ୍ପଦର ସୁରକ୍ଷା ଏବଂ ପ୍ରାଚୀନ କଳାକୃତି ଚୋରି ରୋକଥାମ ପାଇଁ ଏକ ମଜ୍ଭୁତ ଡିଜିଟାଲ ରେକର୍ଡ ସୃଷ୍ଟି ହେବ ।