ସୁନା ବିସ୍କୁଟ ପ୍ରଲୋଭନରେ ଶିକ୍ଷକଙ୍କ ଲକ୍ଷାଧିକ ଟଙ୍କା ଲୁଟ୍, ୬ ଗିରଫ
ବାଲେଶ୍ବର (ସଂକେତ ଟିଭି): ପୁରୀ ଜିଲ୍ଲାର ବ୍ରହ୍ମଗିରି ଅଞ୍ଚଳର ଜଣେ ଶିକ୍ଷକଙ୍କୁ କମ ମୂଲ୍ୟରେ ସୁନା ବିସ୍କୁଟ ଦେବା ପ୍ରତିଶ୍ରୁତି ଦେଇ ଏକ ରାକେଟ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗରେ ନୀଳଗିରି ପୁଲିସ କାର୍ଯ୍ୟାନୁଷ୍ଠାନ ଚଳାଇଛି।
ସୂଚନା ଅନୁସାରେ, ଦଲାଲ ସଂଘ ଶିକ୍ଷକଙ୍କୁ ଡୁପ୍ଲିକେଟ ସୁନା ବିସ୍କୁଟ ଦେଇ ଠକିଥିଲେ ଏବଂ ଚୁନା ଲଗାଇଥିଲେ। ସୁନା ବିସ୍କୁଟ ଦେବେ ବୋଲି କହି ଶିକ୍ଷକଙ୍କଠାରୁ ଲକ୍ଷାଧିକ ଟଙ୍କା ଆଗତୁ ଆଦାୟ କରିନେଇଥିଲେ।
ଏହି ଘଟଣାରେ ଇଶ୍ଵରପୁର ଫାଣ୍ଡି ଅଞ୍ଚଳରୁ ନୀଳଗିରି ପୁଲିସ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କଠାରୁ ପୁଲିସ ୩ ଲକ୍ଷ ୨୯ ହଜାର ଟଙ୍କା, ୨ ଟି ବାଇକ ଏବଂ ୫ ଟି ମୋବାଇଲ ଫୋନ୍ ଜବତ କରିଛି। ଗିରଫପରତ୍ ଅଭିଯୁକ୍ତଙ୍କୁ ପୁଲିସ ପଚରାଉଚରା କରିଛି।
ଉକ୍ତ ଘଟଣାରେ ଆହୁରି କେଉଁମାନେ ଜଡିତ ଅଛନ୍ତି ତାହା ଜାଣିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି। ଏହି ଧରଣର ଠକାମି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
