CrimeFeaturedLatestNews

କୁଳଡିହା ଅଭୟାରଣ୍ୟରେ ଏଆଇ କ୍ୟାମେରା ପାଇଁ ଧରାପଡିଲେ ୩ ଶିକାରୀ, ୫ ବନ୍ଧୁକ ଜବତ

ବାଲେଶ୍ଵର (ସଂକେତ ଟିଭି): ବାଲେଶ୍ଵର ଜିଲ୍ଲାର ନୀଳଗିରି ଅଞ୍ଚଳରେ ଅବସ୍ଥିତ କୁଳଡିହା ଅଭୟାରଣ୍ୟରେ ବନ୍ୟଜନ୍ତୁଙ୍କ ରକ୍ଷା ଓ ଗତିବିଧି ଉପରେ ନଜର ରଖିବା ପାଇଁ ଲଗାଯାଇଥିବା ଏଆଇ (କୃତ୍ରିମ ବୁଦ୍ଧିମତା) କ୍ୟାମେରା ଏକ ବଡ଼ ସଫଳତା ପାଇଛି । ଏହି କ୍ୟାମେରା ଶିକାରୀଙ୍କ ପ୍ରବେଶକୁ ଚିହ୍ନଟ କରି ବନ ବିଭାଗକୁ ସତର୍କ କରିଥିଲା, ଯାହାଫଳରେ ତିନି ଜଣ ଶିକାରୀ ଧରାପଡ଼ିଛନ୍ତି ।

ଗତ ୨ ତାରିଖରେ କୁଳଡିହା ଅଭୟାରଣ୍ୟ ଭିତରକୁ କେତେକ ଶିକାରୀ ଅବାଧରେ ପ୍ରବେଶ କରି ଶିକାର କରିବାକୁ ଯାଇଥିଲେ । ସେମାନଙ୍କର ସମସ୍ତ ଗତିବିଧି ଏଆଇ କ୍ୟାମେରା ଚିତ୍ରଧାରଣ କରିଥିଲା । ଏହି ଚିତ୍ର ଆଧାରରେ ଚିହ୍ନଟ ହୋଇସାରିବା ପରେ ବନ ବିଭାଗ ଶିକାରୀଙ୍କୁ ଗିରଫ କରିବା ପାଇଁ ପ୍ରସ୍ତୁତି ନେଇଥିଲା ।

ବନ ବିଭାଗର ଡିଏଫଓ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ରାତିରେ ନୀଳଗିରି, କୁଳଡିହା ଏବଂ ସୋର ବନ ବିଭାଗର କର୍ମୀମାନେ ମିଳିତ ଭାବେ ବେତେଇ ଅଞ୍ଚଳରେ ଏକ ମୁହାଁମୁହିଁ ଅଭିଯାନ ଚଳାଇଥିଲେ । ଏହି ଅଭିଯାନରେ ସେମାନେ ବେତେଇ ନରସିଂହସିଲା ଗ୍ରାମର ତିନି ଜଣ ଶିକାରୀ ଗୁରା ମୁଣ୍ଡା, ଗେଦେ ଦେଓଗାମ ଏବଂ ବିକ୍ରମ ମୁଣ୍ଡାଙ୍କୁ ଗିରଫ କରିଛନ୍ତି । ଅଭିଯାନରେ ଶିକାରୀଙ୍କ କବଳରୁ ମୋଟ ୫ଟି ବନ୍ଧୁକ ମଧ୍ୟ ଜବତ କରାଯାଇଛି ।

ଧରାପଡ଼ିଥିବା ସମସ୍ତ ଶିକାରୀଙ୍କୁ ଆଜି ଆଇନଗତ କାର୍ଯ୍ୟାନୁସାରେ କୋର୍ଟରେ ଚାଲାଣ କରାଯିବ ବୋଲି ବନ ବିଭାଗ ସୂତ୍ର ରୁ ଜଣାଯାଇଛି । ଏଆଇ ଟେକ୍ନୋଲୋଜି ସହାୟତାରେ ଅଭୟାରଣ୍ୟର ସୁରକ୍ଷା ବ୍ୟବସ୍ଥା ଅଧିକ ପ୍ରଭାବଶାଳୀ ହେବା ଦିଗରେ ଏହି ଘଟଣା ଏକ ଗୁରୁତ୍ୱପୂର୍ଣ୍ଣ ସାଫଲ୍ୟ ବୋଲି ବିଭାଗ ମତ ରଖିଛି ।