CulturalFeaturedLatestNews

ଜାନୁଆରୀ ୮ରୁ ସୁବର୍ଣ୍ଣ ଚାନ୍ଦିପୁର ବେଳାଭୂମି ମହୋତ୍ସବ

ବାଲେଶ୍ବର (ସଂକେତ ଟିଭି): ବଙ୍ଗୋପସାଗର ଉପକୂଳରେ ଅବସ୍ଥିତ ଚାନ୍ଦିପୁର ବେଳାଭୂମିରେ ଆସନ୍ତା ୮ ଜାନୁଆରୀରୁ ୧୧ ଜାନୁଆରୀ ପର୍ଯ୍ୟନ୍ତ ୨୬ତମ ସୁବର୍ଣ୍ଣ ଚାନ୍ଦିପୁର ବେଳାଭୂମି ମହୋତ୍ସବ ଅନୁଷ୍ଠିତ ହେବ। ଚାରିଦିନ ଧରି ଚାଲିବ ଏହି ଉତ୍ସବରେ ନେପାଳୀ ଫକ୍ ଡ୍ୟାନ୍ସ ଏବଂ କୋଲକାତାର ଅର୍କେଷ୍ଟ୍ରା ବିଶେଷ ଆକର୍ଷଣ ହେବାକୁ ଥିବା ବେଳେ ପ୍ରସ୍ତୁତି କାର୍ଯ୍ୟ ଜୋରଦାର ଭାବରେ ଆରମ୍ଭ ହୋଇସାରିଛି।

ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀ, ସାଂସଦ, ବିଧାୟକ ଏବଂ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଚାରି ଦିନ ଧରି ଅତିଥି ଭାବରେ ଏହି ମହୋତ୍ସବରେ ଯୋଗ ଦେବେ। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସହିତ ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଓ ଅନେକ ବିଧାୟକ-ବିଧାୟିକାଙ୍କ ଯୋଗଦାନ ରହିବ।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କଳା, ସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର ସହଯୋଗରେ ପ୍ରତିଦିନ ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ମୁମ୍ବାଇ, କୋଲକାତା ଓ ଓଡ଼ିଶାର ବିଭିନ୍ନ ଅଞ୍ଚଳର ଖ୍ୟାତନାମା କଳାକାରମାନେ ଏଥିରେ ଭାଗ ନେବେ। ନେପାଳର ଫୋକ୍ ଡ୍ୟାନ୍ସ, ପୁରୀର ଗୋଟିପୁଅ ନାଚ ଏବଂ କୋଲକାତାର ପ୍ରସିଦ୍ଧ ଅର୍କେଷ୍ଟ୍ରା ମୁଖ୍ୟ ଆକର୍ଷଣ ହେବ। ମହୋତ୍ସବର ଶେଷ ଦିନ ରାତିରେ ରଙ୍ଗବେରଙ୍ଗର ଆତସବାଜୀ ପ୍ରଦର୍ଶନ ହେବ।

ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଂସ୍ଥା (DRDO), TPNODL, OMFED ଆଦି ସରକାରୀ ଓ ବେସରକାରୀ ସଂସ୍ଥାମାନଙ୍କ ପ୍ରଦର୍ଶନୀ ଷ୍ଟଲ ରହିବ। ବେଳାଭୂମିରେ ଭଲିବଲ, ବାସ୍କେଟବଲ, ରିଙ୍ଗବଲ, କବାଡ଼ି ଆଦି କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହେବ। ବିଭିନ୍ନ ପ୍ରକାରର ଖାଦ୍ୟ, ମାଛ, ଚିଙ୍ଗୁଡ଼ି ଓ କଙ୍କଡ଼ାର ଷ୍ଟଲ ଉପସ୍ଥିତ ଥିବେ।

ମହୋତ୍ସବ ସମୟରେ ଏକ ସ୍ମାରକୀ ସଂକଳନ “ସୁବର୍ଣ ସିକତା” ପ୍ରକାଶ ପାଇବ, ଯାହାର ଲେଖା ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ବିଗତ ବର୍ଷଠାରୁ ଅଧିକ ଆକର୍ଷଣୀୟ ଏବଂ ଉପଭୋଗ୍ୟ ଉତ୍ସବ ପାଇଁ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ସଦର ବିଧାୟକ ମାନସ କୁମାର ଦତ୍ତ ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀମାନଙ୍କ ମାର୍ଗଦର୍ଶନରେ ବିଭିନ୍ନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।

ମହୋତ୍ସବ କମିଟିର ସଭାପତି ଜୀବନ ପ୍ରଦୀପ ଦାଶ, ଉପସଭାପତି ବିପ୍ଳବ କୁମାର ମହାନ୍ତି ଓ ସାଧାରଣ ସମ୍ପାଦକ ହରେକୃଷ୍ଣ ଦାଶ ସମେତ ସମସ୍ତେ ଏହି ମହୋତ୍ସବର ସଫଳତା ପାଇଁ ସହଯୋଗ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ କମିଟିର ଅତିରିକ୍ତ ସାଧାରଣ ସଂପାଦକ ଭାବଗ୍ରାହୀ ମହାନ୍ତି, ସଂପାଦକ ଭାଗବତ ସାହୁ, ସମରେନ୍ଦ୍ର ଦାଶ, କିଶୋର ଦାସ, ଡ. ଶ୍ରୀମାନ ଶ୍ରୀଚନ୍ଦନ, କୋଷାଧ୍ୟକ୍ଷ ମାଧବାନନ୍ଦ ମିଶ୍ର, ଲକ୍ଷ୍ମୀ ନାରାୟଣ ମହାନ୍ତି, ରାଜେନ୍ଦ୍ର ପଟ୍ଟନାୟକ, ଗଂଗାଧର ରାଉତ, ଅମୃତାଶୁ” ପଟ୍ଟନାୟକ, ପ୍ରଶାନ୍ତ ମହାନ୍ତି, ନିର୍ମାଲ୍ୟ ମହାନ୍ତି, ପୁଣ୍ୟବ୍ରତ ମହାନ୍ତି, ଆରତୀ ଦାସ, ସନ୍ଧ୍ୟାରାଣୀ ଭୂୟାଁ, ଅପର୍ଣ୍ଣା ମହାପାତ୍ର, ସୁକୁମାର ରଣା, ସତ୍ୟନାରାୟଣ ନନ୍ଦ, ସେକ ଆଲାମ ଅଲ୍ଲୀ ଖାଁ, ତପନ ଜେନା, ଶ୍ରୀକାନ୍ତ ନାଏକ, ହାଇଦର ଖାନ୍ ପ୍ରମୁଖ କମିଟିର କର୍ମକର୍ତା ଓ ସଦସ୍ୟ ସଦସ୍ୟାମାନେ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।