ସ୍ଥଗିତ ରହିଲା ରାଜ୍ୟର ଡାକ୍ତରମାନଙ୍କ ଆନ୍ଦୋଳନ
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟର ଡାକ୍ତରମାନଙ୍କ ଆନ୍ଦୋଳନ ଆଜି ସ୍ଥଗିତ ରହିଲା । ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସହ ହୋଇଥିବା ଆଲୋଚନା ପରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ ଆନ୍ଦୋଳନ ସ୍ଥଗିତ ରଖିବାକୁ ନିଷ୍ପତି ନେଇଛି ।
ସଂଘର ସଭାପତି ଡାଃ କିଶୋର ମିଶ୍ର କହିଛନ୍ତି ଯେ ମନ୍ତ୍ରୀଙ୍କ ସହ ସକାରାତ୍ମକ ଆଲୋଚନା ହୋଇଛି ଏବଂ ସରକାର ତାଙ୍କ ଦାବି ପୂରଣ ନେଇ ପ୍ରତିଶ୍ରୁତି ଦେଇଛନ୍ତି । ସେ କହିଛନ୍ତି, “ଅନ୍ୟ ଦିନ ଆଲୋଚନା ଅପେକ୍ଷା ସରକାର ସକାରାତ୍ମକ ଅଛନ୍ତି । ଗୁରୁବାର ସନ୍ଧ୍ୟା ସୁଦ୍ଧା ଅନେକ ଦାବି ପୂରଣ ହୋଇଯିବ । ବର୍ତ୍ତମାନ ପାଇଁ ଆନ୍ଦୋଳନ ସ୍ଥଗିତ ରଖାଗଲା । ଶୁକ୍ରବାରଠାରୁ ସବୁକିଛି ସ୍ୱାଭାବିକ ହେବ ।”
ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଯେ ଡାକ୍ତର ସଂଘ ସହ ସକାରାତ୍ମକ ଆଲୋଚନା ହୋଇଛି ଏବଂ ସେମାନଙ୍କ ଦାବି ପୂରଣ ନେଇ ଏକ କମିଟି ଗଠନ କରାଯାଇଛି । ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ସ୍ୱାସ୍ଥ୍ୟ, ଅର୍ଥ ଏବଂ ଆଇନ ବିଭାଗର ସଚିବମାନେ ରହିଛନ୍ତି । ଏହି କମିଟି ଡାକ୍ତରମାନଙ୍କ ଦାବିକୁ ବିଚାରକରି ପଦକ୍ଷେପ ନିବେ ।
ଉଲ୍ଲେଖ୍ୟ ଯେ ଡାକ୍ତରମାନେ ନଭେମ୍ବର ୨୬ ତାରିଖରୁ ଘଣ୍ଟିକିଆ ଏବଂ ଗତ ୫ ଜାନୁଆରୀରୁ ୨ ଘଣ୍ଟିଆ ଓପିଡି ବନ୍ଦ କରି ଆନ୍ଦୋଳନ ଚଳାଇଥିଲେ । ଆନ୍ଦୋଳନକୁ ରୋକିବା ପାଇଁ ସରକାର ଓଡ଼ିଶା ଜରୁରୀ ସେବା ପ୍ରବର୍ତ୍ତନ ଆଇନ (ESMA) ୬ ମାସ ପାଇଁ ଲାଗୁ କରିଥିଲେ ଏବଂ ଧର୍ମଘଟ ଉପରେ ପ୍ରତିବନ୍ଧକ ଆରୋପିଥିଲେ । ତଥାପି ଡାକ୍ତର ସଂଘ ଆନ୍ଦୋଳନ ଜାରି ରଖିଥିଲେ । ଆଜିର ଆଲୋଚନା ପରେ ସମାଧାନର ବାଟ ଖୋଲିଛି ଏବଂ ଆନ୍ଦୋଳନ ସ୍ଥଗିତ ହୋଇଛି ।
