FeaturedLatestNews

ରାଜ୍ୟର ୪ ଜିଲ୍ଲା କୋର୍ଟକୁ ବୋମା ଧମକ; ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର (ସଂକେତ ଟିଭି): ଭୁବନେଶ୍ୱର, ସମ୍ବଲପୁର, କଟକ ଓ ଦେବଗଡ଼ର ଜିଲ୍ଲା ନ୍ୟାୟାଳୟଗୁଡ଼ିକୁ ଇ-ମେଲ୍ ମାଧ୍ୟମରେ ବୋମା ଧମକ ମିଳିଛି । ଏହି ଧମକପୂର୍ଣ୍ଣ ମେଲ୍ ପ୍ରାପ୍ତ ହେବା ପରେ ପ୍ରଶାସନିକ ତରଫରୁ ଜରୁରୀ କାର୍ଯ୍ୟସୂଚୀ ଗ୍ରହଣ କରାଯାଇଛି ।

ସମ୍ବଲପୁର ଓ ଦେବଗଡ଼ କୋର୍ଟ ପରିସରରେ ଆଣ୍ଟି ବମ୍ ସ୍କ୍ୱାଡ୍ ଦ୍ୱାରା ସୁରକ୍ଷା ଯାଞ୍ଚ କରାଯାଇଥିବା ବେଳେ ଦେବଗଡ଼ ନ୍ୟାୟାଳୟକୁ ୩ଟି ଆର୍ଡିଏକ୍ସ ବୋମା ଥିବା ଇ-ମେଲ୍ ମିଳିଥିବା ସୂଚନା ମିଳିଛି । କଟକରେ ଜିଲ୍ଲା ଜଜ୍ କୋର୍ଟ ପରିସରକୁ ଖାଲି କରାଯାଇ ସୁରକ୍ଷା ଯାଞ୍ଚ ଆରମ୍ଭ କରାଯାଇଥିଲେ ମଧ୍ୟ ସମ୍ବଲପୁର ଜିଲ୍ଲା କୋର୍ଟ ପରିସରରେ ଯାଞ୍ଚ ଆରମ୍ଭ ହୋଇନଥିବା କୁହାଯାଉଛି ।

ଘଟଣାର ଗମ୍ଭୀରତା ଦୃଷ୍ଟିରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସନ୍ଧ୍ୟାରେ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି । ମୁଖ୍ୟମନ୍ତ୍ରୀ ଏହି ଘଟଣାକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି ଏବଂ ଜନଧନଜୀବନର ସୁରକ୍ଷା କ୍ଷେତ୍ରରେ କୌଣସି କୋହଳ ମନୋଭାବ ପୋଷଣ କରାଯାଇପାରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକଙ୍କ ସହିତ ଆଲୋଚନା କରି ଏହାର ତଦନ୍ତ କରି ସତ୍ୟାସତ୍ୟ ବାହାର କରିବାକୁ ଏବଂ ଅପରାଧୀଙ୍କୁ ଦ୍ରୁତ ଗତିରେ ଖୋଜି ବାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଘଟନାସ୍ଥଳୀକୁ ପଠାଇ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ ମଧ୍ୟ କୁହାଯାଇଛି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏଭଳି ଘଟଣାର ମୂଳ ଉଦ୍ଦେଶ୍ୟ ଜାଣିବା ପାଇଁ ସବିଶେଷ ତଥ୍ୟ ସଂଗ୍ରହ ଅତ୍ୟନ୍ତ ଆବଶ୍ୟକ ହେଉଛି । ଏହି ଧମକର ପୃଷ୍ଠଭୂମି ଜାଣିବା ପାଇଁ ଗୁରୁତ୍ଵପୂର୍ଣ୍ଣ ବୋଲି ସେ ମତ ଦେଇଛନ୍ତି ।