CulturalLatestNews

ପୁରୀରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ

ପୁରୀ (ସଂକେତ ଟିଭି): ଓଡ଼ିଶାରେ ଫିଟନେସ୍ ଓ ଗ୍ଲାମର୍ ପାଇଁ ଜଣାଶୁଣା ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଆଜି ପରିବାର ସହ ପୁରୀ ଆସି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି । ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସେ ଶ୍ରୀମନ୍ଦିର ସିଂହଦ୍ୱାର ଠାରେ ପହଞ୍ଚିବା ପରେ ତାଙ୍କ କୌଳିକ ପଣ୍ଡା ଇପ୍ସିତ ପ୍ରତିହାରୀଙ୍କ ସମେତ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବାଗତିତ ହୋଇଥିଲେ ।

ସେ ତାଙ୍କ ମା’ ସୁନନ୍ଦା ସେଟ୍ଟୀ, ଭଉଣୀ ସମିତା ସେଟ୍ଟୀ ସହ ପରିବାରର ଅନ୍ୟ ସଦସ୍ୟଙ୍କୁ ନେଇ ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ପ୍ରବେଶ କରି ବାଇଶି ପାହାଚ ଦେଇ ଗଲେ । ଏହି ଅବସରରେ ଶିଳ୍ପାଙ୍କୁ ଦେଖିବା ପାଇଁ ଶ୍ରୀମନ୍ଦିର ସିଂହଦ୍ୱାର ପାଖରେ ପ୍ରବଳ ଭିଡ଼ ଜମିଥିଲା ।

ଶିଳ୍ପା ସେଟ୍ଟୀ ରତ୍ନସିଂହାସନ ସ୍ଥିତ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ ଏବଂ ମା’ ମହାଲକ୍ଷ୍ମୀଙ୍କୁ ମଧ୍ୟ ଦର୍ଶନ କରିଥିଲେ । ସେ ପ୍ରାୟ ୧ ଘଣ୍ଟାରୁ ଅଧିକ ସମୟ ଶ୍ରୀମନ୍ଦିର ଭିତରେ ବିତାଇଥିଲେ । ତାଙ୍କ କୌଳିକ ପଣ୍ଡା ସକାଳ ଧୂପରେ ବାହାରିଥିବା ମହାପ୍ରଭୁଙ୍କ ଖେଚୁଡ଼ି ଭୋଗ ମଧ୍ୟ ଶିଳ୍ପାଙ୍କୁ ଅର୍ପଣ କରିଥିଲେ ।

ଶିଳ୍ପାଙ୍କ ମା’ ମହାପ୍ରଭୁଙ୍କ ଡାକରା ପାଇଁ ପୁରୀ ଆସି ଦର୍ଶନ କରିବାର ସୌଭାଗ୍ୟ ମିଳିଥିବାରୁ ଖୁସି ପ୍ରକାଶ କରିଥିଲେ । ଜୟ ଜଗନ୍ନାଥ ଧ୍ୱନି ଦେଇ ସେ କହିଥିଲେ ଯେ ଚାରି ଧାମ ଯାତ୍ରା ମଧ୍ୟରୁ ଏହା ଶ୍ରେଷ୍ଠ ଧାମ । ଶିଳ୍ପା ମଧ୍ୟ ମନ୍ଦିରର ପ୍ରଶାସନିକ ବ୍ୟବସ୍ଥା ପାଇଁ ଖୁସି ପ୍ରକାଶ କରିଛନ୍ତି ।

ଏହାପୂର୍ବେ ୨୦୨୪ ମସିହା ଅକ୍ଟୋବର ମାସରେ ଶିଳ୍ପା ସେଟ୍ଟୀ ପ୍ରଭୁ ଲିଙ୍ଗରାଜ ମନ୍ଦିରକୁ ଦର୍ଶନ କରି ନିଷିଦ୍ଧାଞ୍ଚଳରେ ଫଟୋ ଉଠାଇବା ଅଭିଯୋଗରେ ବିବାଦରେ ପଡ଼ିଥିଲେ ।

ଶିଳ୍ପା ସେଟ୍ଟୀ ୧୯୯୩ ମସିହାରେ ଶାହାରୁଖ ଖାନଙ୍କ ଚଳଚ୍ଚିତ୍ର ‘ବାଜିଗର’ ଦ୍ୱାରା ବଲିଉଡ୍ରେ ଅଭିନୟ ଆରମ୍ଭ କରିଥିଲେ । ତାଙ୍କର ‘ମେ ଖିଲାଡ଼ି ତୁ ଅନାଡ଼ି’, ‘ଜାନୱର୍’, ‘ଧଡ଼କନ୍’ ଆଦି ଚଳଚ୍ଚିତ୍ର ଲୋକପ୍ରିୟ ହୋଇଥିଲା । ବର୍ତ୍ତମାନ ସେ ଏକ କନ୍ନଡ଼ ଚଳଚ୍ଚିତ୍ର ‘କେ.ଡି.’ ରେ ଅଭିନୟ କରିଛନ୍ତି, ଯାହା ୧୯୭୦ ଦଶକର ବେଙ୍ଗାଲୁରୁର ଏକ ପ୍ରକୃତ ଘଟଣା ଉପରେ ଆଧାରିତ ।