ଷ୍ଟେଟ ବ୍ୟାଙ୍କର ଗ୍ରାହକ ସେବା କେନ୍ଦ୍ର ପରିଚାଳକଙ୍କୁ ଖୁଣ୍ଟରେ ବାନ୍ଧି ମାଡ
ବାଲିଆପାଳ (ଉମାକାନ୍ତ ନାୟକ): ବାଲେଶ୍ୱର ଜିଲ୍ଲାର ବାଲିଆପାଳ ଥାନା ଅନ୍ତର୍ଗତ ଦେଉଳାହାଟରେ ଅଭାବନୀୟ ଘଟଣା ଘଟିଛି। ଷ୍ଟେଟ ବ୍ୟାଙ୍କର ଗ୍ରାହକ ସେବା କେନ୍ଦ୍ର ପରିଚାଳକ ରଞ୍ଜନ ରଣାଙ୍କୁ ଗ୍ରାହକମାନେ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିର୍ଦ୍ଧୁମ ପ୍ରହାର କରିଛନ୍ତି। ଏହି ଘଟଣାରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ଦେଖାଦେଇଥିବା ବେଳେ, ପୋଲିସ ପହଞ୍ଚି ରଞ୍ଜନଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖିଛି ।
ସୂଚନା ଅନୁଯାୟୀ, ରଞ୍ଜନ ରଣା ଦୀର୍ଘ ବର୍ଷଧରି ଦେଉଳାହାଟରେ ଏହି ଗ୍ରାହକ ସେବା କେନ୍ଦ୍ର ପରିଚାଳନା କରୁଥିଲେ। ତାଙ୍କ ଉପରେ ଶହେଟିରୁ ଊର୍ଦ୍ଧ୍ୱ ସଂଖ୍ୟକ ଜମାକାରୀଙ୍କ ୫୦ ଲକ୍ଷଟଙ୍କାରୁ ଅଧିକ ଅର୍ଥ ଆତ୍ମସାତ କରିଥିବାର ଗୁରୁତର ଅଭିଯୋଗ ଉଠିଛି।
ଏଥିପାଇଁ ରଞ୍ଜନ ପୂର୍ବରୁ ମଧ୍ୟ ସାଇବର ଅପରାଧ ମାମଲାରେ ଗିରଫ ହୋଇ ଜେଲ ଯାଇସାରିଛନ୍ତି। ଜମାକାରୀମାନେ ଦାବି କରୁଛନ୍ତି ଯେ ସେମାନେ ନିଜ ଟଙ୍କା ଫେରସ୍ତ ପାଇଁ ବାରମ୍ବାର ଦୌଡାଦୌଡି କରି ନିରାଶ ହେବା ପରେ ଶେଷରେ ଆଜି କ୍ରୋଧିତ ହୋଇ ଏହି ହିଂସାତ୍ମକ କାର୍ଯ୍ୟ କରିଛନ୍ତି।
