FeaturedLatestNews

ରୂପସା ଜଙ୍କସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

ବାଲିଆପାଳ (ଉମାକାନ୍ତ ନାୟକ): ବାଲେଶ୍ୱର ଜିଲ୍ଲାର ରୂପସା ଜଙ୍କସନ ନିକଟରେ ଶୁକ୍ରବାର ସକାଳେ ମାଲବାହୀ ଟ୍ରେନର ତିନିଟି ୱାଗନ ଲାଇନଚ୍ୟୁତ ହେବାରୁ ଦକ୍ଷିଣ ପୂର୍ବ ରେଳବାଇର ବହୁବ୍ୟବହୃତ ଭଦ୍ରକ-ଖଡ଼ଗପୁର ବିଭାଗରେ ଅସ୍ଥାୟୀ ଭାବେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ରେଳ କର୍ମଚାରୀଙ୍କ ମତେ ଏହି ଘଟଣାରେ କୌଣସି ପ୍ରାଣହାନୀ ହୋଇନାହିଁ।

ସୂଚନା ଅନୁଯାୟୀ, ସକାଳ ୮ଟା ସମୟରେ ରୂପସା ଷ୍ଟେସନରେ ସିମେଣ୍ଟ ଓ ରାସାୟନିକ ସାର ଖାଲି କରିସାରି ଖଡ଼ଗପୁର ଆଡକୁ ଯାତ୍ରା ଆରମ୍ଭ କରିଥିବା ମାଲଗାଡିଟି ଚତୁର୍ଥ ଲାଇନରୁ ଖସିପଡିଥିଲା। ଟ୍ରେନଟି ଗତି ଆରମ୍ଭ କରିବା ପରେ ହଠାତ୍ ତିନୱାଗନ ଟ୍ରାକ୍ ଛାଡିଚ୍ୟୁତ ହୋଇଥିଲା।

ଫଳରେ ରୂପସା ଷ୍ଟେସନ ଦେଇ ଗତି କରୁଥିବା ଅନେକ ଯାତ୍ରୀବାହୀ ଏବଂ ମାଲବାହୀ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଥିଲା । ଘଟଣା ସ୍ଥଳରେ ଦକ୍ଷିଣ ପୂର୍ବ ରେଳବାଇର ବରିଷ୍ଠ ଅଧିକାରୀ ଏବଂ ଇଞ୍ଜିନିୟରମାନେ ତତକ୍ଷଣାତ୍ ପହଞ୍ଚି ପୁନରୁଦ୍ଧାର କାର୍ଯ୍ୟରେ ଲାଗି ପଡିଥିଲେ। ପ୍ରାୟ ତିନି ଘଣ୍ଟା ଧରି ଅକ୍ଲାନ୍ତ ପରିଶ୍ରମ ପରେ ଲାଇନଚ୍ୟୁତ ହୋଇଥିବା ୱାଗନଗୁଡିକୁ ପୁନର୍ବାର ଟ୍ରାକରେ ରଖାଯାଇଥଇଲା । ରେଳ କର୍ତ୍ତୃପକ୍ଷ କହିଛନ୍ତି ଯେ ସମସ୍ତ ମରାମତି କାର୍ଯ୍ୟ ସମାପ୍ତି ପରେ ଟ୍ରେନ ଚଳାଚଳ ସ୍ୱାଭାବିକ ଅବସ୍ଥାକୁ ଫେରିଆସିଛି, ଯଦିଓ ପୁନରୁଦ୍ଧାର ସମୟରେ କେତେକ ସ୍ଥାନୀୟ ଟ୍ରେନ ଅଳ୍ପ ସମୟ ପାଇଁ ବିଳମ୍ବିତ ହୋଇଥିଲା। ସେପଟେ ଏହି ଘଟଣାର ସଠିକ୍ କାରଣ ଅନୁଧ୍ୟାନ କରିବା ପାଇଁ ଦକ୍ଷିଣ ପୂର୍ବ ରେଳବାଇର ଖଡ଼ଗପୁର ଡିଭିଜନ୍ ଏକ ସ୍ତରୀୟ ତଦନ୍ତ ଆଦେଶ ଦେଇଛି।