୨୦୩୬ ସୁଦ୍ଧା ଦେଶର ଶ୍ରେଷ୍ଠ ୫ ରାଜ୍ୟରେ ସ୍ଥାନ ପାଇବ ଓଡ଼ିଶା : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର (ସଂକେତ ଟିଭି): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଗାମୀ ୧୦ ବର୍ଷ ଭିତରେ ସମୃଦ୍ଧ ଓଡ଼ିଶା ଗଠନ ହେବ ବୋଲି ଦୃଢ଼ପ୍ରତିଜ୍ଞା ବ୍ୟକ୍ତ କରିଛନ୍ତି । କଟକରେ ସାଧାରଣତନ୍ତ୍ର ଦିବସ ଅବସରରେ ପତାକା ଉତ୍ତୋଳନ କରି ସେ କହିଛନ୍ତି ଯେ ୨୦୩୬ ସୁଦ୍ଧା ଓଡ଼ିଶା ଦେଶର ଶ୍ରେଷ୍ଠ ୫ ରାଜ୍ୟ ମଧ୍ୟରେ ସ୍ଥାନ ପାଇବ । ସରକାରଙ୍କ ୧୯ ମାସର ଦ୍ରୁତ ବିକାଶ ଯାତ୍ରା ସମ୍ପର୍କରେ ସେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି ।
ମହିଳାଙ୍କ ସୁରକ୍ଷା ଓ ବିକାଶ ଉପରେ ବିଶେଷ ଗୁରୁତ୍ଵ ଦେଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ମହିଳା ବିରୋଧୀ ହିଂସା ପ୍ରତି ସରକାରର ନୀତି ହେଉଛି “ଶୂନ୍ୟ ସହନଶୀଳତା” । ମହିଳା ବିରୋଧୀ ଅପରାଧୀଙ୍କର ଠିକଣା ଜେଲ୍ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି । ସରକାର ମହିଳାଙ୍କ ବିକାଶ ପାଇଁ ବଜେଟରେ ୩୦ ପ୍ରତିଶତ ବ୍ୟୟ ବରାଦ କରୁଥିବା ଏବଂ ଶିକ୍ଷା ଖାତାପାଇଁ ୧୪ ପ୍ରତିଶତ ଖର୍ଚ୍ଚ କରୁଥିବାର ମଧ୍ୟ ସେ ଉଲ୍ଲେଖ କରିଛନ୍ତି ।
କୃଷି ଓ ଶିଳ୍ପ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ହୋଇଥିବାର ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି । ଚାଷୀ ପରିବାରର ମାସିକ ଆୟ ବଢି ୬୧ ହଜାର ଟଙ୍କା ହୋଇଛି । ଶିଳ୍ପାୟନରେ ଗତ ୧୯ ମାସରେ ୭.୭ ଲକ୍ଷ କୋଟି ଟଙ୍କା ବିନିଯୋଗର ୩୦୦ ଶିଳ୍ପ ପ୍ରକଳ୍ପକୁ ମଂଜୁରି ମିଳିଛି । ସରକାର ପ୍ରତ୍ୟେକ ଜିଲ୍ଲା ଏବଂ ତହସିଲରେ ଶିଳ୍ପ ଓ ସରକାରୀ ସେବା ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛନ୍ତି ।
ଦୁର୍ନୀତି ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଚାଲିଥିବା ବୁଝାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ବିରୁଦ୍ଧରେ ଦଣ୍ଡ ହାର ୫୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି । ନିଯୁକ୍ତି କ୍ଷେତ୍ରରେ ୪୦ ହଜାର ସ୍ଥାନ ପୂରଣ କରାଯାଇଥିବା ଏବଂ ଆଗାମୀ ୫ ବର୍ଷରେ ୧.୫ ଲକ୍ଷ (ଦେଢ଼ ଲକ୍ଷ) ନିଯୁକ୍ତି ପ୍ରଦାନ କରିବେ ବୋଲି ମଧ୍ୟ ସେ ପ୍ରତିଶ୍ରୁତି ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ଏହି ଦାବି ଓ ମନ୍ତବ୍ୟକୁ ବିରୋଧୀ ଦଳଗୁଡ଼ିକ କଟାକ୍ଷ ଓ ସମାଲୋଚନା କରିଛନ୍ତି । ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସନ୍ନ ମିଶ୍ର କହିଛନ୍ତି ଯେ ସାଧାରଣତନ୍ତ୍ର ଦିବସରେ ଏପରି ରାଜନୈତିକ ମନ୍ତବ୍ୟ ଦେବା ଉଚିତ ନୁହେଁ । ସେ ଆଗକୁ ବଢିବା ପରିବର୍ତ୍ତେ ବିଜେପି ସରକାର “ଆମେ ସବୁ କରିଦେବୁ” ମାନସିକତା ରଖୁଥିବାରୁ ସମାଲୋଚନା କରିଛନ୍ତି ।
ଅନ୍ୟପକ୍ଷରେ, କଂଗ୍ରେସ ବରିଷ୍ଠ ନେତା ଲଲାଟେନ୍ଦୁ ବିହାରୀ ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କ ମହିଳା ହିଂସା ସମ୍ପର୍କିତ ମନ୍ତବ୍ୟକୁ “ହାସ୍ୟାସ୍ପଦ” ଆଖ୍ୟା ଦେଇଛନ୍ତି । ସେ କହିଛନ୍ତି ଯେ ମାଝୀଙ୍କ ସରକାର ସମୟରେ ହିଁ ମହିଳା ବିରୋଧୀ ହିଂସା ବୃଦ୍ଧି ପାଇଛି ଏବଂ ରାଜନୈତିକ ଚାପରେ ଅପରାଧୀ ଖସି ଯାଉଥିବାର ଅଭିଯୋଗ କରିଛନ୍ତି । ବାଲି ଓ ଖଣି ମାଫିଆଙ୍କୁ ଧରିବା ଦିଗରେ କାର୍ଯ୍ୟକାରୀ ପଦକ୍ଷେପ ନେବାକୁ ମଧ୍ୟ ବିରୋଧୀ ଦଳଗୁଡିକ ଆହ୍ୱାନ ଜଣାଇଛନ୍ତି ।
