ପାଞ୍ଚଦିନିଆ କାର୍ଯ୍ୟ ସପ୍ତାହ ଦାବିରେ ରାଜ୍ୟରେ ବ୍ୟାଙ୍କ ଧର୍ମଘଟ
ଭୁବନେଶ୍ୱର (ସଂକେତ ଟିଭି): ପାଞ୍ଚଦିନିଆ କାର୍ଯ୍ୟ ସପ୍ତାହ ଦାବିରେ ବ୍ୟାଙ୍କ କର୍ମଚାରୀମାନେ ଆଜି ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛନ୍ତି। ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ (ୟୁଏଫ୍ବିଯୁ) ଅଧୀନରେ ୯ଟି ବ୍ୟାଙ୍କ କର୍ମଚାରୀ ଓ ଅଫିସର ସଂଘ ଏହି ଧର୍ମଘଟରେ ସାମିଲ ହୋଇଛନ୍ତି। ଦେଶବ୍ୟାପୀ ୮ ଲକ୍ଷରୁ ଅଧିକ କର୍ମଚାରୀ ଏହାର ଅଂଶ ହୋଇଥିବା ବେଳେ ଓଡ଼ିଶାରେ ୩୭ ହଜାରରୁ ଅଧିକ କର୍ମଚାରୀ ଏହି ଧର୍ମଘଟରେ ଯୋଗଦେଇଛନ୍ତି। ଧର୍ମଘଟ ପ୍ରଭାବରେ ସାରା ରାଜ୍ୟରେ ବ୍ୟାଙ୍କ ଶାଖାଗୁଡିକ ବନ୍ଦ ରହିଛି।
ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଧର୍ମଘଟର ପ୍ରଭାବ ଦେଖିବାକୁ ମିଳିଛି। ବ୍ୟାଙ୍କ ଶାଖାଗୁଡିକ ସାମ୍ନାରେ କର୍ମଚାରୀମାନେ ବସି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ୟୁଏଫ୍ବିଯୁ ଓଡ଼ିଶା ଶାଖାର ଆବାହକ ଚିତ୍ତରଞ୍ଜନ ପଣ୍ଡା କହିଛନ୍ତି ଯେ, ଆଜିର ଧର୍ମଘଟ ଦ୍ଵାରା ସାରା ରାଜ୍ୟରେ ୧୦ ହଜାର କୋଟି ଟଙ୍କାର ବ୍ୟାଙ୍କ କାରବାର ପ୍ରଭାବିତ ହୋଇଛି ଏବଂ ଚେକ୍ କ୍ଲିୟରିଂ ଓ ନଗଦ କାରବାର ହୋଇପାରିବ ନାହିଁ। ସମସ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏଥିରେ ସାମିଲ ହୋଇଥିବା ବେଳେ କିଛି ଘରୋଇ ବ୍ୟାଙ୍କ ମଧ୍ୟ ଏହି ଧର୍ମଘଟକୁ ସମର୍ଥନ ଦେଇଛନ୍ତି।
ପଣ୍ଡା କହିଛନ୍ତି ଯେ ସଂପ୍ରତି ବ୍ୟାଙ୍କ କର୍ମଚାରୀମାନଙ୍କ ଉପରେ ପ୍ରବଳ କାମ ଚାପ ରହୁଛି ଏବଂ ଅନେକ କର୍ମଚାରୀ ରାତି ୮ଟା-୯ଟା ପର୍ଯ୍ୟନ୍ତ କାମ କରୁଛନ୍ତି। ଆର୍ଥିକ କ୍ଷେତ୍ରର ଅନ୍ୟ ସଂସ୍ଥା ଯେପରିକି ଆର୍ବିଆଇ, ଏଲଆଇସି, ଜିଆଇସି ଆଦିରେ ପାଞ୍ଚଦିନିଆ କାର୍ଯ୍ୟ ସପ୍ତାହ କାର୍ଯ୍ୟକାରୀ ହୋଇଥିବା ବେଳେ, କେବଳ ବ୍ୟାଙ୍କ କର୍ମଚାରୀଙ୍କୁ ଏହି ସୁବିଧା ଦିଆଯାଉନାହିଁ। ୨୦୧୫ଠାରୁ ଦୀର୍ଘ ୧୦ ବର୍ଷ ଧରି ଏହି ଦାବି ଉପସ୍ଥାପନା କରାସୁଥିବା ବେଳେ ସରକାର ଟାଳଟୁଳ ନୀତି ଗ୍ରହଣ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।
ଧର୍ମଘଟ ଦ୍ଵାରା ଗ୍ରାହକମାନଙ୍କୁ ହେଉଥିବା ଅସୁବିଧା ପାଇଁ ୟୁଏଫ୍ବିଯୁ ପକ୍ଷରୁ କ୍ଷମା ପ୍ରାର୍ଥନା କରାଯାଇଛି, ମାତ୍ର କର୍ମଚାରୀଙ୍କ ନ୍ୟାୟ୍ୟ ଦାବି ପ୍ରତି ସମର୍ଥନ ଜଣାଇବାକୁ ଗ୍ରାହକମାନଙ୍କୁ ନିବେଦନ କରାଯାଇଛି। ପଣ୍ଡା ସ୍ପଷ୍ଟ କରିଛନ୍ତି ଯେ ଏଥର ଯଦି ଦାବି ପୂରଣ ନହେବ ତେବେ ଆଗକୁ ଅନିର୍ଦ୍ଦିଷ୍ଟକାଳୀନ ଧର୍ମଘଟ କରାଯିବ।
ଏହି ଧର୍ମଘଟର ପ୍ରଭାବ ଯଦିଓ ଶାଖାରେ ହେଉଥିବା କାରବାରକୁ ବନ୍ଦ କରିଛି, ତଥାପି ଡିଜିଟାଲ ବ୍ୟାଙ୍କିଂ ଉପାୟଗୁଡିକରେ କାରବାର ସ୍ୱାଭାବିକ ଚାଲିଛି। ଏଟିଏମ୍, ଇଣ୍ଟରନେଟ୍ ବ୍ୟାଙ୍କିଂ, ମୋବାଇଲ୍ ବ୍ୟାଙ୍କିଂ, ୟୁପିଆଇ ଏବଂ ୱାଟ୍ସଆପ୍ ବ୍ୟାଙ୍କିଂ ଆଦି ସେବା ପ୍ରଭାବିତ ହୋଇନାହିଁ।
