ରାଜ୍ୟ କ୍ୟାବିନେଟ୍ରେ ୧୨ ପ୍ରସ୍ତାବ ଅନୁମୋଦିତ
ଭୁବନେଶ୍ବର (ସଂକେତ ଟିଭି): ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ୧୦ ବିଭାଗର ୧୨ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ରାଜ୍ୟ ମୁଖ୍ୟ ଶାସନ ସଚିବ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।
କ୍ୟାବିନେଟ୍ ଓଡ଼ିଶା ସମବାୟ ନୀତିକୁ ମଞ୍ଜୁରୀ ଦେଇଛି, ଯାହା ଜାତୀୟ ଢାଞ୍ଚା ଅନୁସାରେ ହାତ ହେବ । ଏହା ସହ ଦୁବାଇ ଏବଂ ସିଙ୍ଗାପୁରକୁ ବିମାନ ସେବା ମାର୍ଚ୍ଚ ମାସ ଯାଏଁ ଜାରି ରହିବାର ନିଷ୍ପତ୍ତି ନିଆଯାଇଛି । ପରବର୍ତ୍ତୀ ସମୟରେ ଏହା ଚାଲୁ ରହିବ କି ନାହିଁ ସେ ବିଷୟରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ ।
ଏକ ଉଲ୍ଲେଖନୀୟ ନିଷ୍ପତ୍ତି ହେଲା ଓଡ଼ିଶାରେ ପ୍ରତିରକ୍ଷା ଏବଂ ଏରୋସ୍ପେଶ ସାମଗ୍ରୀ ନିର୍ମାଣର ପ୍ରକଳ୍ପ ଅନୁମୋଦନ । ଶିଳ୍ପ ବିଭାଗ ଅଧୀନରେ କଲ୍ୟାଣୀ ଗ୍ରୁପ ତରଫରୁ ଢେଙ୍କାନାଳ ଜିଲ୍ଲାର ଗଜମରାଠାରେ ୧୧.୫୦ ଏକର ଜମିରେ ଏକ ଇଣ୍ଟିଗ୍ରେଟେଡ ନ୍ୟୁ ଏଜ ମାନୁଫେକଚରିଂ କମ୍ପ୍ଲେକ୍ସ ନିର୍ମାଣ ହେବ । ଏହି ପ୍ରକଳ୍ପରେ ୧୭,୨୫୦ କୋଟି ଟଙ୍କା ନିବେଶ ହୋଇ ୨୦,୦୦୦ରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ ଏବଂ ଟାଇଟାନିୟମ, ସ୍ପେସିଆଲ୍ ଷ୍ଟିଲ୍, ଅଟୋ କମ୍ପୋନେଣ୍ଟ, ଏରୋସ୍ପେସ ଓ ପ୍ରତିରକ୍ଷା ସାମଗ୍ରୀ ପ୍ରସ୍ତୁତ ହେବ ।
ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହେଲା ଜିଲ୍ଲା ସଂସ୍କୃତି ଅଧିକାରୀ ସେବା ବର୍ଗର ପୁନର୍ଗଠନ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ‘ଓଡ଼ିଶା ସଂସ୍କୃତି ଉନ୍ନୟନ ସେବା ବର୍ଗ’ ନାମକ ଏକ ନୂତନ ସେବା ବର୍ଗ ଗଠନ କରାଯାଇଥିଲା । ଆବଶ୍ୟକୀୟ ଅନୁମୋଦନ ପରେ ଏହି ପୁନର୍ଗଠନ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି । ଏହି କ୍ଷେତ୍ରରେ ବିକାଶ କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ଏହା ସହାୟକ ହେବ ବୋଲି ଆଶା କରାଯାଉଛି ।
