ରାଜସ୍ୱ ବିଭାଗର ୨୪ ଘଣ୍ଟା ହ୍ବାଟସଅପ୍ ସେବା ଆରମ୍ଭ
ଭୁବନେଶ୍ୱର(ସଂକେତ ଟିଭି): ରାଜସ୍ୱ ବିଭାଗରେ ବନ୍ଦ ହେଲା ମଧ୍ୟସ୍ଥି ଯୁଗ। ବିଭାଗ ଏବେଠାରୁ ସିଧାସଳଖ ନାଗରିକଙ୍କ ସହ ସଂଯୋଗ ରଖିବ। ରାଜସ୍ୱ ସେବା ଓ ଲୋକଙ୍କ ମଧ୍ୟରେ ଆଉ କୌଣସି ମଧ୍ୟସ୍ଥି ରହିବ ନାହିଁ। ଏଣିକି ଗୋଟିଏ କ୍ଲିକ୍ରେ ମିଳିବ ସମସ୍ତ ରାଜସ୍ୱ ସେବା। ନାଗରିକଙ୍କୁ ଆଉ ବାରମ୍ବାର ତହସିଲ କାର୍ଯ୍ୟାଳୟ ଦୌଡ଼ିବାକୁ ପଡିବ ନାହିଁ। ଘରେ ବସି WhatsApp ଆପ୍ରେ ସେବା ପାଇବାର ସୁବିଧା ଚାଲୁ ହୋଇଛି।
ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନୂଆ “ଆମ ସାଥି ସହାୟକ ୟୁନିଫାଏଡ୍ WhatsApp ଚାଟ୍ ବଟ୍” ର ଉନ୍ମୋଚନ କରିଛନ୍ତି। ୯୪୩୭୨୯୨୦୦୦ ନମ୍ବରରେ ଏହି ସେବା ଉପଲବ୍ଧ ରହିବ। ଏଥିରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମୁଖ୍ୟ ନାଗରିକ କେନ୍ଦ୍ରିତ ସେବା ସହିତ ୧୭୦ରୁ ଉର୍ଦ୍ଧ୍ୱ ଜରୁରୀ ସରକାରୀ ସେବା ମିଳିବ।
ରାଜସ୍ୱ ବିଭାଗ ଏବେ ୨୪ ଘଣ୍ଟା ଏହି ସେବା ଯୋଗାଇବ। ସେବା ପ୍ରାପ୍ତିରେ କୌଣସି ବ୍ୟାଘାତ ଘଟିଲେ ନାଗରିକ ବିଭାଗରେ ସିଧାସଳଖ ଅଭିଯୋଗ କରିପାରିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଉ ୫୭ଟି ଉପ-ନିବନ୍ଧନ କାର୍ଯ୍ୟାଳୟର ମଧ୍ୟ ଶୁଭାରମ୍ଭ କରିଛନ୍ତି।
