FeaturedLatestNews

ଡାକଘରେ ଦେଢ଼ କୋଟି ଟଙ୍କା ହଡପର ଅଭିଯୋଗ, ପୋଷ୍ଟମାଷ୍ଟର ଫେରାର

ବାଲେଶ୍ବର (ସଂକେତ ଟିଭି): ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ବ୍ଲକ ଅନ୍ତର୍ଗତ ବାଇଗଣ ବାଡ଼ିଆ ଫୋଷ୍ଟ ଅଫିସରେ ପ୍ରାୟ ୬୦୦ ଜମାକାରୀଙ୍କ ୧,୫୦୦ରୁ ଅଧିକ ଖାତାରେ ଥିବା ଦେଢ଼ କୋଟିରୁ ଅଧିକ ଟଙ୍କା ହଡପ କରିବା ଅଭିଯୋଗ ପୋଷ୍ଟମାସ୍ଟର ପ୍ରମିତ ରଞ୍ଜନ ଘଡାଇଙ୍କ ବିରୁଦ୍ଧରେ ଉଠିଛି। ଅଭିଯୋଗ ଅନୁସାରେ, ସେ ବର୍ଷସାରା ଜମାକାରୀଙ୍କଠାରୁ ସାଧା କାଗଜ କିମ୍ବା ଷ୍ଟାମ୍ପ ରସିଦରେ ଟଙ୍କା ନେଇ ସେଗୁଡିକୁ ଖାତାରେ ଜମା କରୁନଥିଲେ ବରଂ ଚଳାଚଳ କରିନେଉଥିଲେ। ଜାଲ ଦସ୍ତଖତ କରି ଖାତାରୁ ଟଙ୍କା ଉଠାଇବା ଅଭିଯୋଗ ମଧ୍ୟ ରହିଛି।

ଗତ ଦୁଇ ମାସ ତଳେ କେତେକ ଜମାକାରୀ ନିଜ ଟଙ୍କା ଉଠାଇବାକୁ ଗଲା ବେଳେ ଖାତା ଶୂନ୍ୟ ପାଇବା ପରେ ଏହି କଥା ବାହାରକୁ ଆସିଥିଲା। ଘଟଣା ଫସ ହେବା ପରେ ପୋଷ୍ଟମାସ୍ଟର ପ୍ରମିତ ରଞ୍ଜନ ଘଡାଇ ଅଦୃଶ୍ୟ ହୋଇଯାଇଛନ୍ତି। ଜମାକାରୀମାନେ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ପାଖରେ ଅଭିଯୋଗ କରିସାରିଲେ ମଧ୍ୟ କୌଣସି କାର୍ଯ୍ୟକାରୀ ପଦକ୍ଷେପ ହୋଇନାହିଁ ବୋଲି ସେମାନେ କହୁଛନ୍ତି।

ଏହି ଘଟଣାରେ ଗ୍ରାମବାସୀଙ୍କର ଜୀବନ ବିପର୍ଯ୍ୟସ୍ତ ହୋଇପଡ଼ିଛି। ବାଇଗଣ ବାଡ଼ିଆ ପ୍ରାଥମିକ ବିଦ୍ୟାଳୟରେ ରୋଷେଇୟା ନିଳାବତୀ ଗିରି ନିଜ ସଞ୍ଚୟରୁ ଘର ତିଆରି କରିବାର ସ୍ୱପ୍ନ ଦେଖୁଥିଲେ। ଟଙ୍କା ହଡପ ହେବା ପରେ ତାଙ୍କର ଏହି ସ୍ୱପ୍ନ ଭାଙ୍ଗି ଯାଇଛି ଏବଂ ପଲିଥିନ ଘେରା ଛପର ତଳେ ରହିବାକୁ ବାଧ୍ୟ ହେଉଛନ୍ତି। ପାରାଲିସିସ୍ ରୋଗୀ ହରିଶ୍ଚନ୍ଦ୍ର ମହାନ୍ତି ଔଷଧ କିଣିବାପାଇଁ ସଞ୍ଚୟ କରିଥିବା ଟଙ୍କା ହରାଇବା ପରେ ଚିନ୍ତାରେ ଅଛନ୍ତି। ଅପରପକ୍ଷରେ, ମମତା ଦଣ୍ଡପାଟ ନିଜ ମୃତ ପୁଅ ପାଇଁ ମିଳିଥିବା ସରକାରୀ ସହାୟତାର ଟଙ୍କା ଘର ତିଆରି ପାଇଁ ଜମା ରଖିଥିଲେ, ସେଥିରୁ ବଞ୍ଚିତ ହୋଇଛନ୍ତି।

ଏହି ଅବିଶ୍ୱାସ ଓ ଅସନ୍ତୋଷ ମଧ୍ୟରେ ଜମାକାରୀମାନେ ସ୍ପଷ୍ଟ କରିଛନ୍ତି ଯେ ଯଦି ଶୀଘ୍ର ତଦନ୍ତ କରାଯାଇ ଟଙ୍କା ଫେରସ୍ତ ଏବଂ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନଗଲା, ତେବେ ଆସନ୍ତା ସପ୍ତାହରେ ସେମାନେ ରାଜପଥ ଅବରୋଧ କରିବେ। ସେମାନେ ସରକାରୀ ଅନୁସନ୍ଧାନ ଏବଂ ନ୍ୟାୟ ପାଇଁ ଦାବି ଜାରି ରଖିଛନ୍ତି।