ଜମି ଠକେଇକୁ ରୋକିବାକୁ ଆସୁଛି କ୍ୟୁଆର କୋଡ୍ ପଟ୍ଟା. ରାଜସ୍ବ ମନ୍ତ୍ରୀଙ୍କ ଘୋଷଣା
ଭୁବନେଶ୍ୱର(ସଂକେତ ଟିଭି): ରାଜ୍ୟରେ ଜମି କିଣାବିକାରେ ହେଉଥିବା ଠକେଇକୁ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଆସୁଛି ଇଲୋକ୍ଟ୍ରୋନିକ୍ସ ଯୁକ୍ତ କ୍ୟୁଆର କୋଡ୍ ପଟ୍ଟା।
ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଆଜି ସୂଚନା ଦେଇ କହିଛନ୍ତି ଯେ, ଏହି ନୂତନ ବ୍ୟବସ୍ଥାରେ ପ୍ରତ୍ୟେକ ଜମି ପଟ୍ଟାରେ ଇଲୋକ୍ଟ୍ରୋନିକ୍ସ କ୍ୟୁଆର କୋଡ୍ ସଂଯୁକ୍ତ ରହିବ। ଏହାକୁ ସ୍କାନ କଲେ ତୁରନ୍ତ ସେହି ପଟ୍ଟାର ସମ୍ପୂର୍ଣ୍ଣ ଇତିହାସ ଜଣାପଡ଼ିବ। କେବେ କାହାର ନାଁରେ ପଟ୍ଟା ଥିଲା, କେତେଥର ବିକ୍ରି ହୋଇଛି, ଏବଂ ବର୍ତ୍ତମାନ କାହାର ଅଧିକାରରେ ଅଛି—ସବୁ ତଥ୍ୟ ମିଳିପାରିବ।
ମନ୍ତ୍ରୀ ଶ୍ରୀ ପୂଜାରୀ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି କେହି ଠକାମୀ ଉପାୟରେ ଜମି କିଣାବିକା କରନ୍ତି, ତେବେ ସେହି ମୁହୂର୍ତ୍ତରେ ତହସିଲଦାର ଏବଂ ରାଜସ୍ବ ନିରୀକ୍ଷକ (ଆରଆଇ)ଙ୍କ ନିକଟରେ ସୂଚନା ପହଞ୍ଚିଯିବ। ଏହା ଦ୍ୱାରା ଜମି ଠକେଇ ଉପରେ କଡ଼ା ଅଙ୍କୁଶ ଲାଗିପାରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।
