ଗର୍ଭବତୀ ସ୍ତ୍ରୀକୁ ହତ୍ୟା କରି ଫାର୍ମ ହାଉସରେ ପୋତି ଦେଲା ସ୍ବାମୀ
ଭବାନୀପାଟଣା (ସଂକେତ ଟିଭି): ପ୍ରେମ ସପ୍ତାହରେ କଳଙ୍କିତ ହେଲା ପ୍ରେମ। ପ୍ରେମ-ବିବାହ-ପରକୀୟା ପ୍ରୀତି-ହତ୍ୟାର ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି କଳାହାଣ୍ଡି ଜିଲ୍ଲାରୁ। ପରକୀୟା ପ୍ରୀତି ପାଇଁ ଆଠ ମାସର ଗର୍ଭବତୀ ପତ୍ନୀକୁ ହତ୍ୟା କରି ପୋତି ଦେଲା ଜଲ୍ଲାଦ ସ୍ୱାମୀ। ଭାଲେଣ୍ଟାଇନ ସପ୍ତାହରେ ଏପରି ଚାଞ୍ଚଲ୍ୟକର ହତ୍ୟାର ଖୁଲାସା କରି ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି କଳାହାଣ୍ଡି ପୋଲିସ। ଗତକାଲି (ଗୁରୁବାର) ଘଟଣାସ୍ଥଳରେ ସିନ୍ ରିକ୍ରିଏସନ କରିଛି ପୋଲିସ।
ସ୍ୱାମୀ ସାଜିଲା ଜଲ୍ଲାଦ। ଗର୍ଭବତୀ ସ୍ତ୍ରୀକୁ ହତ୍ୟା କରି ଫାର୍ମ ହାଉସରେ ପୋତି ଦେଲା ସାତ ଜନ୍ମର ସାଥୀ। ଶେଷରେ ମଙ୍ଗଳସୂତ୍ର କହିଲା ମୃତକଙ୍କ ପରିଚୟ। ଆଉ ପରିଚୟ ମିଳିବା ପରେ ଏବେ ପୋଲିସ ହାଜତରେ ଜଲ୍ଲାଦ ସ୍ୱାମୀ।
ଘଟଣାଟି ହେଉଛି କିଛି ଏମିତି, ଗତ ସୋମବାର ଦିନ କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ଶ୍ରୀପୁର ଗାଁର ଏକ ଘରୋଇ ଫାର୍ମ ହାଉସରେ ଜଗୁଆଳି ଜଣକ ସଫେଇ କରିବା ସମୟରେ ମଣିଷ ଶରୀରର କିଛି ଅଂଶ ମାଟି ବାହାରକୁ ଆସିଥିବା ଦେଖିଥିଲେ। ଏନେଇ ଜଗୁଆଳି ଏବଂ ଫାର୍ମ ହାଉସ ମାଲିକ ସଦର ଥାନା ପୋଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ ଓ ସଦର ଥାନା ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ। ହେଲେ ମୃତ ମହିଳାଙ୍କ ପରିଚୟ ମିଳି ପାରିନଥିଲା।
ପରେ ମୃତ ମହିଳାଙ୍କ ଗଳାରେ ଥିବା ମଙ୍ଗଳସୂତ୍ରରୁ ମହିଳାଙ୍କ ପରିଚୟ ସାମ୍ନାକୁ ଆଣିଥିଲା ପୋଲିସ। ଆଉ ଯେତେବେଳେ ପରିଚୟ ମିଳିଲା, ଏବଂ ତଦନ୍ତ ପରେ ଜଣାପଡ଼ିଲା ହତ୍ୟାକାରୀ ଆଉ କେହି ନୁହେଁ ମୃତ ମହିଳାଙ୍କ ସ୍ୱାମୀ।
ଏନେଇ କଳାହାଣ୍ଡି ଏସପି ନାଗରାଜ ଦେବାରକୋଣ୍ଡା କହିଛନ୍ତି, “ଗତ ଫେବୃଆରୀ ୯ରେ ଆମେ ଏକ ଖବର ପାଇଲୁ ଯେ ସଦର ଥାନା ଅଞ୍ଚଳର ଶ୍ରୀପୁର ଗାଁର ଏକ ଘରୋଇ ଫାର୍ମ ରହିଛି। ସେଠାରେ କାମ କରୁଥିବା ଶ୍ରମିକ ଜଣକ ଏକ ମୃତଦେହ ଦେଖି ଆମକୁ ଖବର ଦେଇଥିଲେ। ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହ ଜବତ କରାଯାଇଥିଲା। ଏହି ହତ୍ୟା ମୃତ ସ୍ତ୍ରୀଙ୍କ ସ୍ୱାମୀ କରିଛନ୍ତି ବୋଲି ଜଣାପଡ଼ିବା ପରେ ତାକୁ ଗିରଫ କରାଯାଇଛି। ତଦନ୍ତ ଜାରୀ ରହିଛି।”
ଶ୍ରୀପୁର ଗାଁର ମୃତ ବର୍ଷା ପଟେଲ ଓ ସେହି ଗାଁର ଲଳିତ ପଟେଲଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପ୍ରେମ ଆକାଶରେ ବିହଙ୍ଗ ପରି ଉଭୟ ଡେଣା ମେଲାଇ ଉଡ଼ି ବୁଲୁଥିଲେ। ଶେଷରେ ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ଉଭୟ ନିଷ୍ପତ୍ତି ନେଲେ, ହେଲେ ସେହି ସମୟରେ ଏହାକୁ ଉଭୟଙ୍କ ପରିବାର ବିରୋଧ କରିଥିଲେ। ଶେଷରେ ୨୦୨୨ ମସିହାରେ ଉଭୟ ଘର ଛାଡ଼ି ଚାଲିଯାଇଥିଲେ। କିଛି ବର୍ଷ ହେଲା ଭବାନୀପାଟଣାର ଶକ୍ତି ନଗର ପଡ଼ାରେ ପ୍ରେମ ବିବାହ କରି ରହୁଥିଲେ।
କିଛି ବର୍ଷ ହସଖୁସିରେ ରହିବା ପରେ ଉଭୟଙ୍କ ମଧ୍ୟରେ ଆରମ୍ଭ ହେଲା କଳି। ସେହି କଳିଝଗଡ଼ା ମଧ୍ୟରେ ବର୍ଷା ଗର୍ଭବତୀ ହେଲେ। ମା’ ହେବାର ଖୁସିରେ ବର୍ଷା ବିଭୋର ଥିଲା। ହେଲେ ସେହି ସ୍ୱାମୀ, ଯାହାକୁ ସାତ ଜନ୍ମର ସାଥୀ କରି ଗଳାରେ ମଙ୍ଗଳସୂତ୍ର ଓ ମଥାରେ ସିନ୍ଦୂର ପିନ୍ଧିଥିଲା, ସେହି ସ୍ୱାମୀ ପରକୀୟା ପ୍ରୀତିରେ ସ୍ତ୍ରୀକୁ ନିର୍ଯାତନା ଦେବା ଆରମ୍ଭ କରିଦେଲା। ଶେଷରେ ପରକୀୟା ପ୍ରେମରେ ପଡ଼ି ସ୍ୱାମୀ ଲଳିତ ନିଜ ବନ୍ଧୁ ଦୁଷ୍ମନ୍ତ ଗୌଡ଼ଙ୍କ ସହ ମିଶି ନିଜ ସ୍ତ୍ରୀ ବର୍ଷାକୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରିଥିଲା ବୋଲି ପୋଲିସ କହିଛି।
