FeaturedLatestNews

ଶ୍ରୀମନ୍ଦିର ଉପରେ ୧୦ ଥର ଉଡିଛି ଡ୍ରୋନ୍ : ଆଇନ ମନ୍ତ୍ରୀ

ଭୁବନେଶ୍ୱର (ସଂକେତ ଟିଭି): ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଣ ଘଟଣାରେ ରାଜ୍ୟ ସରକାର ଗୃହରେ ଲିଖିତ ସୂଚନା ପ୍ରଦାନ କରିଛନ୍ତି। ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଠାରୁ ପ୍ରକାଶିତ ଏହି ତଥ୍ୟ ଅନୁଯାୟୀ, ଜୁନ ୨୦୨୪ ଠାରୁ ଏପର୍ଯ୍ୟନ୍ତ ଶ୍ରୀମନ୍ଦିର ଉପରେ ବେଆଇନ ଭାବେ ମୋଟ ୧୦ ଥର ଡ୍ରୋନ୍ ଉଡ଼ାଣ ହୋଇଛି।

ଏହି ୧୦ଟି ମାମଲା ମଧ୍ୟରୁ ୨ଟି ମାମଲାରେ ଚୂଡ଼ାନ୍ତ ଫର୍ମ (ଫାଇନାଲ ଫର୍ମ) ପ୍ରଦାନ କରାଯାଇଥିବା ବେଳେ ଅବଶିଷ୍ଟ ୮ଟି ମାମଲାର ତଦନ୍ତ ପ୍ରକ୍ରିୟା ଜାରି ରହିଛି।

ସେହିପରି ଶ୍ରୀମନ୍ଦିର ପରିସରକୁ ମୋବାଇଲ ଫୋନ ଧରି ଅନଧିକୃତ ଭାବେ ପ୍ରବେଶ କରିଥିବା ୭୦୦ ଜଣ ବ୍ୟକ୍ତିଙ୍କ ଠାରୁ ମୋଟ ୬,୯୩,୦୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ଏହି ଘଟଣାରେ ସିଂହଦ୍ୱାର ଥାନାରେ ୯ଟି ମାମଲା ରୁଜୁ ହୋଇଥିଲା। ଏଥି ମଧ୍ୟରୁ ୭ଟି ମାମଲାର ଫଇସଲା ହୋଇଥିବା ବେଳେ ୨ଟି ମାମଲାର ତଦନ୍ତ ଜାରି ରହିଛି।

ଏହା ବ୍ୟତୀତ ଶ୍ରୀମନ୍ଦିର ଭିତରେ ବା ପରିସରରେ ବେଆଇନ ଭାବେ ଫଟୋ ଓ ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ପ୍ରସାରଣ କରିବା ଅଭିଯୋଗରେ ସିଂହଦ୍ୱାର ଥାନାରେ ୮ଟି ମାମଲା ରୁଜୁ ହୋଇଛି। ଏହି ମାମଲାଗୁଡ଼ିକ ମଧ୍ୟରୁ ୫ଟି ମାମଲାର ତଦନ୍ତ ସମାପ୍ତ ହୋଇଥିବା ବେଳେ ଅବଶିଷ୍ଟ ୩ଟି ମାମଲାର ତଦନ୍ତ ଜାରି ରହିଥିବା ଆଇନ ମନ୍ତ୍ରୀ ଲିଖିତ ଭାବେ ଗୃହକୁ ସୂଚନା ଦେଇଛନ୍ତି।