LatestNews

ବାଇକ ଉପରେ ଚଢିଗଲା ଚାଉଳ ଟ୍ରକ, ଘଟଣାସ୍ଥଳରେ ଯୁବକ ମୃତ

ବାଲିଆପାଳ, (ଉମାକାନ୍ତ ନାୟକ): ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ଦଣ୍ତିକା ଛକ ନିକଟରେ ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ଚାଉଳ ବୋଝେଇ ଟ୍ରକ ଜଣେ ବାଇକ ଆରୋହୀଙ୍କୁ ଧକ୍କା ଦେବା ସହ ବାଇକ ଉପରେ ଚଢିଯାଇଥିଲା, ଯାହା ଫଳରେ ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ ବାଲିଆପାଳ ଗ୍ରାମର ସେଖ ସାମୁ ଙ୍କ ମଝିଆ ପୁଅ ଅୟମତ ତୁଲ୍ଲା ।

ପ୍ରାପ୍ତ ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗରୁ ଚାଉଳ ବୋଝେଇ କରି ଏକ ଟ୍ରକ ବାଲେଶ୍ବର ଅଭିମୁଖେ ଯାଉଥିଲା। ଦଣ୍ତିକା ଛକ ନିକଟରେ ପହଞ୍ଚିବା ବେଳକୁ ଟ୍ରକଟି ଏକ ବାଇକକୁ ଜୋରଦାର ଧକ୍କା ଦେଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ ଟ୍ରକଟି ବାଇକ ଉପରେ ଚଢିଯିବା ସହ ତାକୁ ରାସ୍ତାରେ ଘୋଷାଡି ନେଇଥିଲା। ଏହି ଘଟଣାରେ ବାଇକଟି ଟ୍ରକର ଚକା ଭିତରେ ଫସି ଯିବାରୁ ଟ୍ରକଟି ଆଗକୁ ଯାଇପାରି ନଥିଲା।

ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ବାଇକ ଆରୋହୀ ଜଣକଙ୍କ ମୁଣ୍ତ ତାଙ୍କ ଶରୀରଠାରୁ ଅଲଗା ହୋଇଯାଇଥିଲା। ଦୁର୍ଘଟଣା ଘଟାଇବା ପରେ ଟ୍ରକ ଡ୍ରାଇଭର ଗାଡିଟିକୁ ଛାଡି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ମୃତକ ଯୁବକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ।

ଖବର ପାଇବା ମାତ୍ରେ ଜାତୀୟ ରାଜପଥ ପେଟ୍ରୋଲିଂ ଭ୍ୟାନ ଏବଂ ବସ୍ତା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଦୁର୍ଘଟଣାଗ୍ରସ୍ତ ଟ୍ରକଟିକୁ ଜବତ କରିଛି। ଘଟଣାର ଅଧିକ ତଦନ୍ତ ଜାରି ରଖିଛି।