FeaturedGeneralLatest

ଶରଦ ପାୱାର ପୁଣିଥରେ ହସପିଟାଲରେ ଭର୍ତ୍ତି, ୨୦୦୪ ମସିହାରେ ହୋଇଥିଲା କ୍ୟାନସର

ପୁଣେ (ସଂକେତ ଟିଭି): ଜ୍ୟେଷ୍ଠ ଏନସିପି-ଏସପି ନେତା ଶରଦ ପାୱାରଙ୍କୁ ପୁଣିଥରେ ପୁଣେର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ବଳତା ଅନୁଭବ କରିବାରୁ ତାଙ୍କୁ ରୁବି ହସପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ଗତ କିଛି ଦିନ ହେବ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ନଥିବାରୁ ପରିବାର ଲୋକେ ଚିନ୍ତା ପ୍ରକଟ କରିଛନ୍ତି।

ଶରଦ ପାୱାରଙ୍କ ଝିଅ ତଥା ରାଜ୍ୟସଭା ସାଂସଦ ସୁପ୍ରିୟା ସୁଲେ ଏକ୍ସ ହ୍ୟାଣ୍ଡେଲ (ପୂର୍ବତନ ଟ୍ୱିଟର) ଜରିଆରେ ଏହି ସୂଚନା ଦେଇଛନ୍ତି। ସେ ପୋଷ୍ଟରେ ଲେଖିଛନ୍ତି, “ବାବାଙ୍କୁ ଅଧିକ ଯାଞ୍ଚ ଓ ହାଇଡ୍ରେସନ ପାଇଁ ପୁଣେର ରୁବି ହସପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କର ଚିକିତ୍ସା ଜାରି ରହିଛି। ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀମାନେ ତାଙ୍କର ଯତ୍ନ ନେଉଛନ୍ତି, ସେମାନଙ୍କୁ ଧନ୍ୟବାଦ।”

ଉଲ୍ଲେଖଯୋଗ୍ୟ, ଗତ ଫେବୃଆରୀ ୯ ତାରିଖରେ ପ୍ରବଳ କାଶ ଯୋଗୁଁ ଶରଦ ପାୱାରଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ କିଛିଦିନ ଚିକିତ୍ସା ପରେ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବାରୁ ତାଙ୍କୁ ଡାକ୍ତରଖାନାରୁ ଛାଡ଼ପତ୍ର ଦିଆଯାଇଥିଲା। ମାତ୍ର ଦିନକୁ ଦିନ ଶାରୀରିକ ଦୁର୍ବଳତା ବୃଦ୍ଧି ପାଇବାରୁ ତାଙ୍କୁ ପୁନର୍ବାର ଡାକ୍ତରଖାନାରେ ଭର୍ତ୍ତି କରାଯିବାର ଆବଶ୍ୟକତା ପଡ଼ିଛି। ଡାକ୍ତରୀ ଟିମ୍ର ତତ୍ତ୍ୱାବଧାନରେ ତାଙ୍କର ସମସ୍ତ ପ୍ରକାର ସ୍ୱାସ୍ଥ୍ ପରୀକ୍ଷା କରାଯାଉଛି।

ରାଜନୈତିକ କ୍ଷେତ୍ରରେ ସକ୍ରିୟ ଥିବା ଶରଦ ପାୱାର ନିକଟରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ତାଙ୍କ ଭାଣେଜ ଅଜିତ ପାୱାରଙ୍କ ପିତାଙ୍କ ନିଧନ ପରେ ମୁମ୍ବାଇ, ବାରାମତି ଏବଂ ପୁଣେ ମଧ୍ୟରେ ଯିଆସି କରୁଥିଲେ। ଏହି ଯାତ୍ରା ମଧ୍ୟରେ ସେ ଥକାପଣ ଅନୁଭବ କରିଥିଲେ ବୋଲି ଜଣାପଡ଼ିଛି। ଉଲ୍ଲେଖନୀୟ ଯେ, ୨୦୦୪ ମସିହାରେ ଶରଦ ପାୱାର କ୍ୟାନସରରେ ପୀଡ଼ିତ ହୋଇଥିଲେ ଏବଂ ସେତେବେଳେ ଦୀର୍ଘ ଚିକିତ୍ସା ପରେ ସେ ଆରୋଗ୍ୟ ଲାଭ କରିଥିଲେ। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।