FeaturedLatestNewsPolitics

ପଦ୍ମଫୁଲ ଧରିବେ ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସଙ୍କ ପରିବାର; ପୁଅ ଅଭିଜିତଙ୍କ ଘୋଷଣା

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟ ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଦେଖିବାକୁ ମିଳିବ। ପୂର୍ବତନ ମନ୍ତ୍ରୀ ତଥା ଭୋଗରାଇର ଦିବଂଗତ ଟାଣୁଆ ନେତା ଅନନ୍ତ ଦାସଙ୍କ ପରିବାର ବିଜେପିରେ ଯୋଗ ଦେବାକୁ ଯାଉଛନ୍ତି। ଆଜି ଏହାର ଇଶାରା ଦେଇଛନ୍ତି ତାଙ୍କ ପୁଅ ଅଭିଜିତ ଦାସ।

ଅଭିଜିତ ଦାସ କହିଛନ୍ତି ଯେ, ସେ ଏବଂ ତାଙ୍କ ପରିବାର ଖୁବ୍ ଶୀଘ୍ର ପଦ୍ମଫୁଲ ଧରିବାକୁ ଯାଉଛନ୍ତି। ବାପାଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବା ପାଇଁ ତାଙ୍କ ପରିବାର ଏଭଳି ନିଷ୍ପତ୍ତି ନେବାକୁ ଯାଉଥିବା ସେ ସ୍ପଷ୍ଟ କରିଛନ୍ତି। ରବିବାର ଦିନ ଅଭିଜିତ ବିଜେପି ରାଜ୍ୟ ସଭାପତିଙ୍କ ସମେତ ଦଳର କିଛି ଟାଣୁଆ ନେତାଙ୍କୁ ଭେଟିଥିଲେ। ଏହି ସାକ୍ଷାତ ପରେ ସେ ଶୀଘ୍ର ଦଳରେ ସାମିଲ ହେବାକୁ ଯାଉଥିବା ଘୋଷଣା କରିଛନ୍ତି।

ନିର୍ବାଚନ ସମୟରେ ବିଜେପିରେ ସାମିଲ ହେବାକୁ ନେଇ ନିଷ୍ପତ୍ତି ନେଇପାରି ନଥିଲେ, କିନ୍ତୁ ବର୍ତ୍ତମାନ ପୂରା ପରିବାର ଏକାଠି ହୋଇ ବିଜେପିରେ ମିଶିବାକୁ ନିଷ୍ପତ୍ତି ନେଇଥିବା ଅଭିଜିତ କହିଛନ୍ତି। ପ୍ରାୟ ଦୁଇ ବର୍ଷ ହେଲା ସେ ବିଜେପି ସହ ସକ୍ରିୟ ଭାବେ କାମ କରୁଥିବା ଏବଂ ଭୋଗରାଇର ଉନ୍ନତି ହିଁ ତାଙ୍କର ପ୍ରଥମ ଲକ୍ଷ୍ୟ ବୋଲି ସେ ଉଲ୍ଲେଖ କରିଛନ୍ତି।

ପୂର୍ବତନ ମନ୍ତ୍ରୀ ତଥା ଭୋଗରାଇର ଦିବଂଗତ ନେତା ଅନନ୍ତ ଦାସଙ୍କ ପରିବାର ବିଜେପିରେ ମିଶିବା ଘୋଷଣା ପରେ ଭୋଗରାଇ ଓ ବାଲେଶ୍ୱର ରାଜନୀତିରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।