ଚାଷୀ ସମସ୍ୟା ଓ ଆଇନ ଶୃଙ୍ଖଳା ବିପର୍ଯ୍ୟୟକୁ ନେଇ ବିଜେଡି କରିବ ବିଶାଳ ବିକ୍ଷୋଭ
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ଚାଷୀ ସମସ୍ୟା ଏବଂ ଆଇନ ଶୃଙ୍ଖଳା ବିପର୍ଯ୍ୟୟ ଭଳି ଗୁରୁତର ବିଷୟକୁ ନେଇ ବିଜୁ ଜନତା ଦଳ (ବିଜେଡି) ଆସନ୍ତାକାଲି ରାଜଧାନୀର ଲୋୟର ପିଏମଜି ଠାରେ ବିକ୍ଷୋଭ ପ୍ରଦର୍ଶନ କରିବ। ଦଳ ଏହି ସମସ୍ୟାକୁ ନେଇ ରାଜପଥ ଓହ୍ଲାଇ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛି।
ରାଜ୍ୟ ସରକାର ଚାଷୀ ଏବଂ ଆଇନ ଶୃଙ୍ଖଳା ଭଳି ସଙ୍ଗୀନ ସମସ୍ୟାକୁ ଅଣଦେଖା କରୁଥିବା ଅଭିଯୋଗ ଆଣିଛି ବିଜେଡି। ଦଳ ଆଜି ଶଙ୍ଖ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛି ଯେ, ରାଜ୍ୟ ସରକାର ବିଧାନସଭାକୁ ଭ୍ରମିତ କରୁଛନ୍ତି। ମଣ୍ଡିରେ ଚାଷୀଙ୍କୁ ମାଡ଼ ଓ ନିର୍ଯାତନା ଦିଆଯାଉଥିବା ବେଳେ ପ୍ରାୟ ଦେଢ଼ ଲକ୍ଷ ଚାଷୀଙ୍କ ନାଁ ଚଞ୍ଚକତା କରି ରେଜିଷ୍ଟ୍ରେସନ୍ ତାଲିକାରୁ କାଟି ଦିଆଯାଇଛି ବୋଲି ବିଜେଡି ଅଭିଯୋଗ କରିଛି।
ସାମ୍ବାଦିକ ସମ୍ମିଳନୀରେ ବିଧାନସଭାରେ ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ଏବଂ ଉପସଭାପତି ସଞ୍ଜୟ କୁମାର ଦାସବର୍ମା ଉପସ୍ଥିତ ରହି ରାଜ୍ୟର ଧାନ ସଂଗ୍ରହ ବ୍ୟବସ୍ଥା ଏବଂ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଅଭିଯୋଗ କରିଥିଲେ।
ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ ଯେ, ଚଳିତ ବର୍ଷ ଧାନ ସଂଗ୍ରହ କାର୍ଯ୍ୟକ୍ରମ ପ୍ରଥମ ଦିନରୁ ଅବ୍ୟବସ୍ଥା ଲାଗି ରହିଛି। ପଞ୍ଜିକରଣ, ଟୋକନ ବିତରଣ, ମଣ୍ଡିରେ ଧାନ ସଂଗ୍ରହ ଓ କଟନୀ ଛଟନୀ ଯୋଗୁଁ ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାଜ୍ୟର ପ୍ରତ୍ୟେକ ବ୍ଲକ ଓ ଜିଲ୍ଲାରେ ଚାଷୀମାନେ ରାଜପଥକୁ ଓହ୍ଲାଇବା ଖବର ସାମ୍ନାକୁ ଆସୁଥିଲେ ମଧ୍ୟ ସରକାର ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନାହାନ୍ତି।
ସେ ସରକାରୀ ତଥ୍ୟ ଉଲ୍ଲେଖ କରି କହିଥିଲେ ଯେ, ଚଳିତ ବର୍ଷ ୧୯,୬୬,୧୮୧ ଜଣ ଚାଷୀ ପଞ୍ଜିକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ପ୍ରାୟ ଦେଢ଼ ଲକ୍ଷ ଚାଷୀଙ୍କ ପଞ୍ଜିକରଣ ବିଭିନ୍ନ କାରଣ ଦର୍ଶାଇ ରଦ୍ଦ କରାଯାଇଛି। ରାଜ୍ୟରେ ଚଳିତ ବର୍ଷ ସମୁଦାୟ ୧୯୩.୦୬ ଲକ୍ଷ ମେଟ୍ରିକ୍ ଟନ୍ ଧାନ ଉତ୍ପାଦନ ହୋଇଥିବା ବେଳେ ଏପର୍ଯ୍ୟନ୍ତ ମାତ୍ର ୬୦.୦୯ ଲକ୍ଷ ମେଟ୍ରିକ୍ ଟନ୍ (ମୋଟର ୩୧ ପ୍ରତିଶତ) ଧାନ କିଣାଯାଇପାରିଛି। ଏହାଦ୍ୱାରା ଅବଶିଷ୍ଟ ଧାନକୁ ନେଇ ଚାଷୀ ଚିନ୍ତାରେ ପଡ଼ିଛନ୍ତି।
ଶ୍ରୀ ଆଚାର୍ଯ୍ୟ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଚଳିତ ବର୍ଷ ଏମଏସପିରେ ୬୯ ଟଙ୍କା ବୃଦ୍ଧି ପାଇଥିଲେ ମଧ୍ୟ ତାହା ଚାଷୀଙ୍କୁ ଦିଆଯାଉନାହିଁ। ଧାନ ବିକ୍ରି ପରେ ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ଖାତାକୁ ଟଙ୍କା ଯିବା କଥା, କିନ୍ତୁ ତାହା ୧୫ରୁ ୨୦ ଦିନ ପର୍ଯ୍ୟନ୍ତ ବିଳମ୍ବ ହେଉଛି। ନିର୍ବାଚନ ପୂର୍ବରୁ ଚାଷୀଙ୍କୁ ପ୍ରତିଶ୍ରୁତି ଦେଇ ଭୋଟ୍ ହାସଲ କରିବା ପରେ ବର୍ତ୍ତମାନ ସରକାର ‘ଚାଷୀ ମାରଣ ନୀତି’ ଆପଣାଇଥିବା ସେ ଅଭିଯୋଗ କରିଛନ୍ତି। ଏହି ନୀତି ବିରୋଧରେ ଆସନ୍ତାକାଲି ବିଜେଡି ବିଶାଳ ବିକ୍ଷୋଭ କରିବ।
ଦେବୀ ପ୍ରସାଦ ମିଶ୍ର କହିଥିଲେ ଯେ, ବିଜେଡି ସଭାପତିଙ୍କ ନିର୍ଦ୍ଦେଶକ୍ରମେ ଫେବୃଆରୀ ୨ ତାରିଖରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚାଷୀମାନଙ୍କୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଆସନ୍ତାକାଲି ଲୋୟର ପିଏମଜିରେ ହେବାକୁ ଥିବା ବିକ୍ଷୋଭରେ ଧାନ ସଂଗ୍ରହ ଅବ୍ୟବସ୍ଥା ସହିତ ରାଜ୍ୟର ଆଇନ ଶୃଙ୍ଖଳା ଏବଂ ମହିଳା ସୁରକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବା ପ୍ରସଙ୍ଗକୁ ମଧ୍ୟ ଉଠାଯିବ।
ସଞ୍ଜୟ କୁମାର ଦାସବର୍ମା କହିଥିଲେ ଯେ, ଗତ ନିର୍ବାଚନରେ ବିଜେପି ବିନା କଟନୀରେ ୮୦୦ ଟଙ୍କା ଇନପୁଟ୍ ସବସିଡି ଦେଇ ଧାନ କିଣିବାର ପ୍ରତିଶ୍ରୁତି ଦେଇଥିଲା। ସଂକଳ୍ପ ପତ୍ରରେ ଚାଷୀଙ୍କ ସମସ୍ତ ଧାନ କ୍ରୟ କରାଯିବ ବୋଲି କୁହାଯାଇଥିଲେ ମଧ୍ୟ ବର୍ତ୍ତମାନ ୧୫୦ କ୍ୱିଣ୍ଟାଲରୁ ଅଧିକ ଧାନ ୩୧୦୦ ଟଙ୍କାରେ କ୍ରୟ କରାଯାଉନାହିଁ। ଯୋଗାଣ, ସମବାୟ ଏବଂ କୃଷି ମନ୍ତ୍ରୀ ଏହି ପ୍ରସଙ୍ଗରେ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଇ ଚାଷୀଙ୍କୁ ଉପହାସ କରୁଥିବା ସେ ଅଭିଯୋଗ କରିଛନ୍ତି। ରାଜ୍ୟ ସରକାରଙ୍କ ଏହି ନୀତି ବିରୋଧରେ ଚାଷୀଙ୍କୁ ନ୍ୟାୟ ଦେବା ପାଇଁ ଆସନ୍ତାକାଲିର ବିକ୍ଷୋଭ ଆୟୋଜନ କରାଯାଇଛି।
