ନୂତନ ‘ବ୍ରହ୍ମ ତାଳଧ୍ୱଜ’ ରଥ ପାଇଁ ରାଜ୍ୟ ସରକାରଙ୍କ ଠାରୁ ମିଳିଲା ୧ କୋଟି ଟଙ୍କାର ଅନୁଦାନ
ଭୁବନେଶ୍ବର(ସଂକେତ ଟିଭି): କେନ୍ଦ୍ରାପଡ଼ାର ପ୍ରସିଦ୍ଧ ବ୍ରହ୍ମ ତାଳଧ୍ୱଜ ରଥ ନିର୍ମାଣ ପାଇଁ ରାଜ୍ୟ ସରକାର ଏକ ବୃହତ୍ତ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଚଳିତ ବର୍ଷ ଏହି ରଥ ନିର୍ମାଣ ପାଇଁ ୧ କୋଟି ଟଙ୍କାର ବିଶେଷ ଅନୁଦାନ ମଞ୍ଜୁର କରାଯାଇଛି।
ବିଗତ କିଛି ବର୍ଷ ହେବ ଏହି ରଥର ୧୪ଟି ଚକର ଅବସ୍ଥା ଅତ୍ୟନ୍ତ ଜର୍ଜର ହୋଇପଡ଼ିଥିଲା। ଫଳରେ ରଥ ଚାଳନା ସମୟରେ ବାରମ୍ବାର ବାଧା ସୃଷ୍ଟି ହେଉଥିଲା। ରଥଟି ଠିକ୍ ସମୟରେ ମାଉସୀମା ମନ୍ଦିରରେ ପହଞ୍ଚି ପାରୁ ନ ଥିବାରୁ ଚକଡ଼ା ଲାଗିବାରେ ପ୍ରାୟ ୧ କିମ୍ବା ୨ ଦିନ ବିଳମ୍ବ ହେଉଥିଲା।
କେବଳ ନୂତନ ରଥ ନୁହେଁ, ବର୍ଷ ତମାମ ହେଉଥିବା ରଥଯାତ୍ରା ଓ ବାହୁଡ଼ା ଯାତ୍ରା ସମୟରେ ମଧ୍ୟ ସମାନ ସମସ୍ୟା ଦେଖାଦେଉଥିଲା। ରଥ ପରିଚାଳନାରେ ଏହି ବିଭ୍ରାଟ ଯୋଗୁଁ ବହୁ ସଂଖ୍ୟକ ଭକ୍ତ ମାନସିକ ଅସନ୍ତୋଷ ପ୍ରକାଶ କରୁଥିଲେ।
ଏହି ସମସ୍ତ ପରିସ୍ଥିତିକୁ ଗୁରୁତ୍ୱର ସହ ନେଇ ରାଜ୍ୟ ସରକାର ରଥଯାତ୍ରାକୁ ଅଧିକ ଶୃଙ୍ଖଳିତ ଓ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି। ଏହି ଅନୁଦାନ ବଳରେ ନୂତନ ବ୍ରହ୍ମତାଳଧ୍ୱଜ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ଏବଂ ଆଗାମୀ ରଥଯାତ୍ରାରେ କୌଣସି ପ୍ରକାର ବାଧା ବିଘ୍ନ ନ ହୋଇ ଭକ୍ତମାନେ ନିର୍ବିଘ୍ନରେ ଯାତ୍ରାରେ ସାମିଲ ହୋଇପାରିବେ ବୋଲି ଆଶା କରାଯାଉଛି।
