FeaturedLatestNewsPolitics

ଓଡିଶାର ସମ୍ପତ୍ତି ଲୁଟିବାରେ ଲାଗିଛି ବିଜେପି ସରକାର : ରାହୁଲ ଗାନ୍ଧୀ

ଭୁବନେଶ୍ୱର (ସଂକେତ ଟିଭି): ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆଜି ଓଡ଼ିଶାରେ ବିଜେପି ସରକାର ଉପରେ କଠୋର ଆକ୍ରୋଶ ପ୍ରକାଶ କରିଛନ୍ତି। ବରମୁଣ୍ଡା ପଡ଼ିଆରେ କଂଗ୍ରେସ ପକ୍ଷରୁ ଆୟୋଜିତ ‘ସମ୍ବିଧାନ ବଞ୍ଚାଅ ଦେଶ ବଞ୍ଚାଅ’ ମହାସମାବେଶରେ ବକ୍ତବ୍ୟ ଦେଇ ସେ କହିଛନ୍ତି, “ଆମ କର୍ମୀମାନେ ହିଁ ଓଡ଼ିଶାର ରକ୍ଷା କରୁଛନ୍ତି। ବର୍ତ୍ତମାନର ସରକାର ଗରିବ ଲୋକଙ୍କ ସମ୍ପତ୍ତି ଲୁଟିବାରେ ଲାଗିଛନ୍ତି।”

ରାହୁଲ ଗାନ୍ଧୀ ଆହୁରି କହିଛନ୍ତି ଯେ ବିଜେପି ସମ୍ଗ୍ର ଦେଶରେ ସମ୍ବିଧାନ ଉପରେ ଆକ୍ରମଣ ଚଳାଇଛି। ସେ ବିହାର ଓ ମହାରାଷ୍ଟ୍ରରେ ନିର୍ବାଚନୀୟ ଅନିୟମିତତା ଉପରେ ମଧ୍ୟ ଆଙ୍ଗୁଠି ଉଠାଇଛନ୍ତି। “ମହାରାଷ୍ଟ୍ରରେ ୧ ଲକ୍ଷ ନୂଆ ଭୋଟର୍ କିପରି ଯୋଗଦାନ କଲେ? ଏବେ ବିହାରରେ ମଧ୍ୟ ନିର୍ବାଚନ ଚୋରିର ଉଦ୍ୟମ ଚାଲିଛି,” ସେ ପ୍ରଶ୍ନ ଉଠେଇଛନ୍ତି।

ଓଡ଼ିଶା ପ୍ରସଙ୍ଗରେ ରାହୁଲ କହିଛନ୍ତି ଯେ ରାଜ୍ୟର ୫ରୁ ୬ଟି କମ୍ପାନୀକୁ ସମସ୍ତ ସମ୍ପତ୍ତି ହସ୍ତାନ୍ତର କରାଯାଉଛି। “ଜଳ, ଜମି ଓ ଜଙ୍ଗଲ ଆଦିବାସୀଙ୍କର, କିନ୍ତୁ ସେମାନଙ୍କୁ ଜମିପଟ୍ଟା ଦିଆଯାଉନାହିଁ। ପେସା ଆଇନ୍ ମଧ୍ୟ ଲାଗୁ ହୋଇନାହିଁ,” ସେ ଅଭିଯୋଗ କରିଛନ୍ତି। ରାହୁଲ ଜୋର୍ ଦେଇ କହିଛନ୍ତି ଯେ କଂଗ୍ରେସ ନିର୍ଯାତିତ ଲୋକଙ୍କ ପକ୍ଷରେ ଠିଆ ହେବ। ସେ ମୋଦୀ ଫସଲ ବୀମା ଯୋଜନାର ବିଫଳତା ଉପରେ ମଧ୍ୟ ଆଲୋଚନା କରିଛନ୍ତି।

ଓଡ଼ିଶାରେ ବିଜେପି ସରକାର ଗଠନ ପରେ ଏହା ରାହୁଲଙ୍କ ପ୍ରଥମ ରାଜ୍ୟ ଗସ୍ତ। ତାଙ୍କ ଉପସ୍ଥିତି କଂଗ୍ରେସର ରାଜନୈତିକ ପ୍ରଭାବକୁ ପୁନରୁଦ୍ଧାର କରିବାର ପ୍ରୟାସ ଭାବେ ଦେଖାଯାଉଛି। ଏହି କାର୍ଯ୍ୟକ୍ରମରେ ଏଆଇସିସିର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ସାଧାରଣ ସମ୍ପାଦକ କେ ସି ବେଣୁଗୋପାଳ ମଧ୍ୟ ଉପସ୍ଥିତ ଥିଲେ।

ସଭା ଶେଷ ହେବା ପରେ ରାହୁଲ ଗାନ୍ଧୀ ଚାଷୀଙ୍କ ଏକ ପ୍ରତିନିଧି ଦଳକୁ ସାକ୍ଷାତ୍ କରିବାର ଯୋଜନା ରଖିଛନ୍ତି। ଅପରାହ୍ନ ୩ଟାରେ ସେ କଂଗ୍ରେସ ଭବନରେ ରାଜନୈତିକ ବ୍ୟାପାର କମିଟି ସହ ବୈଠକ କରିବେ। ଏହାପରେ ବିଧାୟକ ଓ ପିସିସି କାର୍ଯ୍ୟକର୍ତ୍ତାମାନଙ୍କ ସହ ଆଲୋଚନା ହେବ। ସନ୍ଧ୍ୟା ୫ଟାରେ ସେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରଖାଯାଇଛି।