ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି
ନୂଆଦିଲ୍ଲୀ(ସଂକେତ ଟିଭି): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ୍ ସମୟରେ ଓଡ଼ିଶାର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ, ଭବିଷ୍ୟତ ପରିକଳ୍ପନା ଏବଂ ରାଜ୍ୟର ସର୍ବାଙ୍ଗୀଣ ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସୁସମନ୍ଵୟ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି।
ମୁଖ୍ୟମନ୍ତ୍ରୀ ମାଝୀ ସୋସିଆଲ ମିଡିଆରେ ଏହି ସାକ୍ଷାତ୍କୁ ନେଇ କହିଛନ୍ତି, “ଆଜି ମାନନୀୟ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବାର ସୌଭାଗ୍ୟ ଲାଭ କଲି। ଓଡ଼ିଶାର ବିକାଶ ପାଇଁ ତାଙ୍କର ପ୍ରେରଣା ଓ ଅତୁଟ ସମର୍ଥନ ନିମନ୍ତେ କୃତଜ୍ଞ।” ସେ ଆହୁରି କହିଛନ୍ତି ଯେ ଏହି ଆଲୋଚନା ଓଡ଼ିଶାର ବିକାଶ ଗତିପଥକୁ ତ୍ୱରାନ୍ୱିତ କରିବ।
ଏହି ମିଳିତ ପ୍ରୟାସରେ କେନ୍ଦ୍ର ଓ ରାଜ୍ୟ ସରକାର ଏକତ୍ର କାମ କରି ସମୃଦ୍ଧ ଓଡ଼ିଶା ଏବଂ ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ଏହି ସାକ୍ଷାତ୍ ଓଡ଼ିଶାର ଯୋଜନାବଦ୍ଧ ବିକାଶ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିଶ୍ଳେଷକମାନେ ମତ ଦେଇଛନ୍ତି। ତେବେ ରାଜ୍ୟରେ ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣ ହେବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ବେଶ୍ ଗୁରୁତ୍ବପୂର୍ଣ୍ଣ ବୋଲି ଚର୍ଚ୍ଚା ହେଉଛି ।
