ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପାଇଁ ବିଜେପି ସରକାରର ବ୍ୟବସ୍ଥାକୁ ଦାୟୀ କଲେ ନବୀନ
ଭୁବନେଶ୍ୱର (ସଂକେତ ଟିଭି):: ବାଲେଶ୍ୱର ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ସେ ଏହାକୁ ଏକ ଦୁର୍ଘଟଣା ନୁହେଁ, ବରଂ ବ୍ୟବସ୍ଥାର ବିଫଳତାର ଫଳ ବୋଲି କହିଛନ୍ତି। ନବୀନ ଏହାକୁ “ଆନୁଷ୍ଠାନିକ ବିଶ୍ୱାସଘାତକତା” ଏବଂ “ଯୋଜନାବଦ୍ଧ ଅନ୍ୟାୟ” ବୋଲି କଟାକ୍ଷ କରିଛନ୍ତି।
ଗତକାଲି ରାତିରେ ଭୁବନେଶ୍ୱର ଏମ୍ସରେ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟିଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ ଲେଖି ନବୀନ କହିଛନ୍ତି, “ଏମ୍ସରେ ଚିକିତ୍ସିତ ହେଉଥିବା ବାଲେଶ୍ୱର ଫକୀରମୋହନ କଲେଜର ଛାତ୍ରୀଙ୍କ ଦେହାନ୍ତ ଜାଣି ମୁଁ ମର୍ମାହତ। ମହାପ୍ରଭୁ ତାଙ୍କ ପରିବାରକୁ ଧୈର୍ଯ୍ୟ ଦିଅନ୍ତୁ।”
ନବୀନ କହିଛନ୍ତି, “ଏହା କେବଳ ଏକ ଦୁଃଖଦ ଘଟଣା ନୁହେଁ, ବରଂ ବ୍ୟବସ୍ଥାର ନିଷ୍ଠୁର ଅବହେଳା। ସାହାଯ୍ୟ ପାଇଁ ଚିତ୍କାର ଶୁଣି ମଧ୍ୟ କେହି କାନ ଦେଲେ ନାହିଁ। ଶେଷରେ ସେ ନ୍ୟାୟ ପାଇଁ ସଂଗ୍ରାମ କରି କରି ଥାକିଗଲେ।” ସୌମ୍ୟାଶ୍ରୀ ପୂର୍ବରୁ ତାଙ୍କ ବିରୁଦ୍ଧରେ ଯୌନ ନିର୍ଯାତନା ଆଭିମାନ କଲେଜ ଅଧ୍ୟକ୍ଷଙ୍କୁ ଲେଖିଥିଲେ, ମାତ୍ର କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ସେ ଉଚ୍ଚଶିକ୍ଷା ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଏବଂ ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ୟ ଜଣାଇଥିଲେ।
ନବୀନ ରାଜ୍ୟପାଳଙ୍କୁ ଅନୁରୋଧ କରିଛନ୍ତି ଯେ କେବଳ କଲେଜ ପ୍ରଶାସନ ନୁହେଁ, ବରଂ ଉଚ୍ଚପଦସ୍ଥ ଅଧିକାରୀମାନେ ମଧ୍ୟ ଦାୟୀ ହେବା ଉଚିତ। ସେ କହିଛନ୍ତି, “ଯଦି କେହି ଜବାବଦେହିତା ନେଇ କାର୍ଯ୍ୟ କରିଥାନ୍ତେ, ତେବେ ସୌମ୍ୟାଶ୍ରୀଙ୍କୁ ବଞ୍ଚାଯାଇପାରିଥାନ୍ତା।”
ନବୀନ ପଟ୍ଟନାୟକ ସୌମ୍ୟାଶ୍ରୀଙ୍କ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଛନ୍ତି ଏବଂ ତାଙ୍କ ପରିବାରକୁ ଧୈର୍ଯ୍ୟ ଦେବାକୁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଅନୁରୋଧ କରିଛନ୍ତି।
