FeaturedLatestNews

ଆଇଏଏସ୍ ଅଧିକାରୀ ଧୀମାନ ଚକ୍ମାଙ୍କୁ ସର୍ତ୍ତମୂଳକ ଜାମିନ

କଟକ (ସଂକେତ ଟିଭି): ଓଡିଶା ହାଇକୋର୍ଟ ଆଜି ଭିଜିଲାନ୍ସ ଗିରଫକାରୀ ଆଇଏଏସ୍ ଅଧିକାରୀ ଧୀମାନ ଚକ୍ମାଙ୍କୁ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି। ଜାମିନ ପ୍ରଦାନ କରିବା ସହିତ ଅଦାଲତ ତାଙ୍କ ଉପରେ କେତେକ କଠୋର ନିୟମ ମଧ୍ୟ ଆରୋପିଛି।

ହାଇକୋର୍ଟର ନିର୍ଦ୍ଦେଶ ଅନୁଯାୟୀ, ଚକ୍ମାଙ୍କୁ ୫ ଲକ୍ଷ ଟଙ୍କାର ଜାମିନ ବଂଧନ ସହିତ ଦୁଇଜଣ ଜାମିନଦାରଙ୍କ ଜିମ୍ମାରେ ଛାଡିବାକୁ କୁହାଯାଇଛି। ଏହା ସହିତ ତାଙ୍କୁ ଅଦାଲତର ଅନୁମତି ବିନା ଦେଶ ବାହାରକୁ ଯିବାକୁ ଅନୁମତି ଦିଆଯିବ ନାହିଁ। ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବାକୁ ମଧ୍ୟ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଚକ୍ମାଙ୍କ ଜାମିନ ଆବେଦନ ଶୁଣାଣି କରି ଏହି ଆଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲାର ଧର୍ମଗଡ ଉପଜିଲ୍ଲାପାଳ ଥିବା ବେଳେ ଚକ୍ମା ଲାଞ୍ଚ ଗ୍ରହଣ ଅଭିଯୋଗରେ ଗତ ମାସରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ।

ଘଟଣାକ୍ରମେ, ଚକ୍ମା ଜଣେ କ୍ରସର ମାଲିକଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଧରାପଡିଥିଲେ। ତାଙ୍କ ଘରୁ ଭିଜିଲାନ୍ସ ୪୭ ଲକ୍ଷ ୪୭ ହଜାର ୬୦୦ ଟଙ୍କା ଜବତ କରିଥିଲା। ଭବାନୀପାଟଣା ଭିଜିଲାନ୍ସ ଅଦାଲତରେ ଜାମିନ ଆବେଦନ ଖାରଜ ହେବା ପରେ ଗତ ୧୯ ଜୁନ୍ରେ ସେ ହାଇକୋର୍ଟକୁ ଯାଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଦେବାଶିଷ ପଣ୍ଡା ମାମଲା ପରିଚାଳନା କରିଥିଲେ।