ଫରେଷ୍ଟ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍, ଟ୍ରେଜେରୀରୁ ମିଳିଲା ନଗଦ ଦେଢ କୋଟି ଟଙ୍କା
ଭୁବନେଶ୍ୱର (ସଂକେତ ଟିଭି): ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଆଜି କୋରାପୁଟର ଜୟପୁର ବନଖଣ୍ଡର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଘରେ ରେଡ୍ କରିଛି। ଏହି ଅଭିଯାନରେ ତାଙ୍କ ଘର ମାଟି ତଳୁ ନଗଦ ସାଢ଼େ ୩ ଲକ୍ଷ ଟଙ୍କା ଉଦ୍ଧାର କରାଯାଇଛି। ସେହିପରି ଟ୍ରେଜରିରୁ ମିଳିଛି ୧ କୋଟି ୪୩ ଲକ୍ଷ ଟଙ୍କା । ଏଥିସହ ଭୁବନେଶ୍ୱର ଓ ଜୟପୁରରେ ଥିବା ତାଙ୍କ ଅନ୍ୟ ୫ଟି ସ୍ଥାନରେ ମଧ୍ୟ ଏକକାଳୀନ ଚଢାଉ ଚାଲିଛି।
ଭିଜିଲାନ୍ସ ଟିମ୍ ଜୟପୁରର ଗୋଲ୍ଡେନ୍ ହାଇଟ୍ସ୍ ଆପାର୍ଟମେଣ୍ଟରେ ଥିବା ନେପାକଙ୍କ ଫ୍ଲାଟ୍ (ନଂ. ୫୧୦ ଓ ୫୧୧)ରେ ଖୋଜାଖୋଜି କରି ଏକ ଟ୍ରେଜରି ମିଳିଛି, ଯେଉଁଥିରେ ୧ କୋଟି ୪୩ ଲକ୍ଷ ଟଙ୍କା, ୪ଟି ସୁନା ବିସ୍କୁଟ୍ ଓ ଗୋଲ୍ଡ କଏନ୍ ରହିଥିଲା। ଏଥିସହ ଦେଢ଼ କିଲୋ ସୁନା ଗହଣା, ସାଢ଼େ ୪ କିଲୋ ରୂପା ଅଳଙ୍କାର, ଜୟପୁରରେ ୧ଟି ମହଲା ଘର, ଭୁବନେଶ୍ୱରରେ ୩ଟି ଫ୍ଲାଟ୍, ୧ଟି କାର ଓ ୨ଟି ପ୍ଲଟ୍ ମିଳିଛି।
ଜୟପୁରର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଅନୁମତି କ୍ରମେ ୬ ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର ଓ ୯ ଜଣ ଏଏସଆଇଙ୍କ ଟିମ୍ ଏହି କାର୍ଯ୍ୟାନୁଷ୍ଠାନ କରିଛନ୍ତି। ଚଢାଉ କରାଯାଇଥିବା ସ୍ଥାନଗୁଡ଼ିକ ମଧ୍ୟରେ ନେପାକଙ୍କ ପୈତୃକ ଘର (କୋରାପୁଟ), ଭାଇଙ୍କ ଘର (ରଘୁନାଥପୁର, ଭୁବନେଶ୍ୱର), ଶ୍ୱଶୁରଘର (ଜୟପୁର) ଓ ଜୟପୁର ଫରେଷ୍ଟ ଡିଭିଜନ୍ ଅଫିସ୍ ଅନ୍ତର୍ଭୁକ୍ତ।
୧୯୬୫ ଜନ୍ମିତ ରାମଚନ୍ଦ୍ର ନେପାକ ୧୯୮୯ରେ ଭିଲେଜ୍ ଫରେଷ୍ଟର୍ ଭାବେ ଚାକିରି ଆରମ୍ଭ କରି ବର୍ତ୍ତମାନ ଡେପୁଟି ରେଞ୍ଜର୍ ଭାବେ କାର୍ଯ୍ୟରତ। ତାଙ୍କ ମାସିକ ଦରମା ୬୯,୬୮୦ ଟଙ୍କା (ମୋଟ ୭୬,୮୮୦ ଟଙ୍କା), ମାତ୍ର ଏତେ ବଡ଼ ସମ୍ପତ୍ତି କିପରି ଅର୍ଜନ କଲେ, ତାହା ନେଇ ଭିଜିଲାନ୍ସ ପ୍ରଶ୍ନ କରୁଛି। ଅଭିଯୋଗ ଅନୁସାରେ, ସେ ନିଜ ଚାକିରି ସମୟରେ ଅବৈଧ ଉପାୟରେ ଏହି ସମ୍ପତ୍ତି ଅର୍ଜନ କରିଥିବା ସନ୍ଦେହ ରହିଛି।