EducationFeaturedLatestNews

୬,୩୮୭ ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କୁ ମିଳିବ ଅତିଥି ଶିକ୍ଷକ ଭାବେ ନିଯୁକ୍ତି

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟର ଅନୁଦାନପ୍ରାପ୍ତ ହାଇସ୍କୁଲ, ବ୍ଲକ୍‌ଗ୍ରାଣ୍ଟ ହାଇସ୍କୁଲ ଏବଂ ସଂସ୍କୃତ ଟୋଲ୍ ସ୍କୁଲଗୁଡ଼ିକରେ ଅତିଥି ଶିକ୍ଷକ ଭାବେ ୬,୩୮୭ ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ଏହି ନିଷ୍ପତ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ନିର୍ଦ୍ଦେଶକଙ୍କୁ ପଠାଯାଇଥିବା ଏକ ଚିଠିରେ ଜଣାଯାଇଛି।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ନୂଆ ଶିକ୍ଷକ ନିଯୁକ୍ତ ନହୋଇଥିବା ପର୍ଯ୍ୟନ୍ତ ଏହି ଅତିଥି ଶିକ୍ଷକମାନେ କାର୍ଯ୍ୟ କରିବେ। ଜିଲ୍ଲା ଶିକ୍ଷା ଅଧିକାରୀମାନେ ସେମାନଙ୍କ ଅଞ୍ଚଳରେ ଖାଲି ପଡ଼ିଥିବା ପଦବିଗୁଡ଼ିକ ଚିହ୍ନଟ କରି ମାଧ୍ୟମିକ ଶିକ୍ଷା ପରିଷଦକୁ ରିପୋର୍ଟ କରିବେ। ଏହି ତଥ୍ୟ ଆଧାରରେ ନିଯୁକ୍ତି ପ୍ରକ୍ରିୟା ଆଗେଇ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

ମନ୍ତ୍ରୀ ଆହୁରି କହିଛନ୍ତି, ଯଦି ଖାଲି ପଦବିଗୁଡ଼ିକରେ ଟିଜିଟି ଶିକ୍ଷକ ନିଯୁକ୍ତି ହୁଅନ୍ତି କିମ୍ବା ନୂଆ ଶିକ୍ଷକ ଆସନ୍ତି, ତେବେ ସେହି ସ୍କୁଲରୁ ଅତିଥି ଶିକ୍ଷକଙ୍କୁ ଅପସାରଣ କରାଯିବ। ଏହି ପଦକ୍ଷେପ ଶିକ୍ଷାକ୍ଷେତ୍ରରେ ଚାଲିଥିବା ଶିକ୍ଷକ ସଂକଟ ଦୂର କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।

ଏହି ନିଯୁକ୍ତି ପ୍ରକ୍ରିୟା ଶୀଘ୍ର ଆରମ୍ଭ ହେବ ବୋଲି ବିଭାଗୀୟ ସ୍ରୋତରୁ ଜଣାଯାଇଛି। ଶିକ୍ଷକଙ୍କ ଅଭାବରେ ପଡ଼ିଥିବା ଶିକ୍ଷାନୁଷ୍ଠାନଗୁଡ଼ିକରେ ଏହା ଏକ ବୃହତ୍ ଉପଶମ ଆଣିବ ବୋଲି ଆଶା କରାଯାଉଛି।